୭ ବର୍ଷ ପରେ ଆଇପିଏଲ୍‌ ଖେଳିବେ ଆଉ ଜଣେ ଓଡ଼ିଆ ପୁଅ, ଦିନେ କହିଥିଲେ ଧୋନି ମୋର ଗୁରୁ ! 

 

କ୍ରିକେଟ୍ ଖବର : ଆରମ୍ଭ ହୋଇ ସାରିଛି ଚଳିତ ବର୍ଷର ଆଇପିଏଲ୍ ପାଇଁ ସଜବାଜ। ଖେଳାଳି ନିଲାମ କାର୍ଯ୍ୟ ବି ସରିଛି । ୧୦ ଟି ଟିମ୍ ନିଜ ନିଜର ଖେଳାଳିଙ୍କୁ କିଣି ସାରିଲେଣି।ଫ୍ରାଞ୍ଚାଇଜ୍ ଆଉ ଖେଳାଳି ବର୍ତ୍ତମାନ ପ୍ରସ୍ତୁତ। ଖାଲି ବିସିସିଆଇର ତାରିଖ ଏବଂ ସ୍ଥାନ ଘୋଷଣାକୁ ଅପେକ୍ଷା।

ତେବେ ଶେଷ ହୋଇଥିବା ଆଇପିଏଲ୍ ନିଲାମରେ ଆମ ଓଡ଼ିଶାକୁ ଗୌରବନ୍ବତ କରିଛନ୍ତି ଜଣେ ଖେଳାଳି। ଆଉ ତାଙ୍କ ନାମ ହେଉଛି ଶୁଭ୍ରାଂଶୁ ସେନାପତି। ସେ ଚଳିତ ବର୍ଷ ଆଇପିଏଲ ଖେଳୁଥିବାର ଦେଖାଦେବେ। ଯାହାକି ଆମ ଓଡିଶାବାସୀଙ୍କ ପାଇଁ ଗର୍ବର ବିଷୟ। କାରଣ ଦୀର୍ଘ ୭ ବର୍ଷ ପରେ କେହି ଜଣେ ଓଡ଼ିଆ କ୍ରିକେଟ୍ ଖେଳାଳି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଖେଳିବାର ସୁଯୋଗ ପାଇଛନ୍ତି।

ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଯାଉଛନ୍ତି ଓଡିଶା କ୍ରିକେଟ୍ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି । ଗତ ରବିବାର ଆଇପିଏଲ୍‌ ନିଲାମରେ ଓଡ଼ିଶା ରଣଜୀ ଦଳର ଅଧିନାୟକ ତଥା ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ସେନାପତିଙ୍କୁ, ମହେନ୍ଦ୍ର ସିଂ ଧୋନିଙ୍କର ଚେନ୍ନାଇ ସୁପର କିଙ୍ଗ୍‌ସ କିଣିଛି। ରବିବାର ଅନୁଷ୍ଠିତ ମେଗା ଖେଳାଳି ନିଲାମରେ ଚେନ୍ନଇ ସୁପର କିଙ୍ଗ୍‌ସ ତାଙ୍କର ମୂଳ ନିଲାମ ମୂଲ୍ୟ ୨୦ ଲକ୍ଷ ଟଙ୍କାରେ ଶୁଭ୍ରାଂଶୁଙ୍କୁ ସିଏସକେ ଦଳରେ ସାମିଲ କରିଛି। ଆଉ ସବୁଠାରୁ ଖୁସିର କଥା ହେଉଛି ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ଶୁଭ୍ରାଂଶୁ ଆଇପିଏଲ୍‌ ଖେଳିବାକୁ ଯାଉଛନ୍ତି। କାରଣ ଧୋନି ହେଉଛନ୍ତି ଭାରତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଶ୍ରେଷ୍ଠ ଅଧିନାୟକ। ଅନ୍ୟପଟେ ଶୁଭ୍ରାଂଶୁ ଦିନେ ମହେନ୍ଦ୍ର ସିଂ ଧୋନିଙ୍କୁ ନିଜର ଗୁରୁର୍ ଆଖ୍ୟା ବି ଦେଇଥିଲେ। ସେ କହିଥିଲେ ମୁଁ ଧୋନିଙ୍କୁ ବହୁତ ମାନେ।

ତେବେ ଘରୋଇ କ୍ରିକେଟରେ ନିୟମିତ ଭଲ ପ୍ରଦର୍ଶନ ଲାଗି ଆଇପିଏଲ ଟ୍ରାଏଲ୍‌ସ ପାଇଁ ଚେନ୍ନାଇ ସୁପର କିଙ୍ଗ୍‌ସ ପକ୍ଷରୁ ଡାକରା ମିଳିଥିଲା। ସିଏସ୍‌କେର ଟ୍ରାଏଲ୍‌ସରେ ଶୁଭ୍ରାଂଶୁ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ନିଲାମରେ କିଣିବା ଲାଗି ଚେନ୍ନାଇ ସୁପର କିଙ୍ଗ୍‌ସ ନିଷ୍ପତ୍ତି ନେଇଥିଲା। ଆଇପିଏଲ୍‌ ନିଲାମରେ ଶୁଭ୍ରାଂଶୁଙ୍କ ନାମ ଡକାଯିବା ମାତ୍ରେ ଚେନ୍ନଇ ସୁପର କିଙ୍ଗ୍‌ସ ତାଙ୍କୁ କିଣିଥିଲା।

ତେବେ ୧୯୯୬ ଡିସେମ୍ବର ୩୦ ତାରିଖରେ କେନ୍ଦୁଝରରେ ଜନ୍ମିତ ୨୫ ବର୍ଷ ବୟସ୍କ ଡାହାଣହାତି ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ଶୁଭ୍ରାଂଶୁ ୨୦୧୬-୧୭ ମସିହାରେ ଓଡିଶା ରଣଜୀ ଦଳରେ ପଦାର୍ପଣ କରିଥିଲେ। ଶୁଭ୍ରାଂଶୁ ୩୪ଟି ପ୍ରଥମଶ୍ରେଣୀ ମ୍ୟାଚ ଖେଳି ୩୭.୮୩ ହାରରେ ୭ଟି ଅର୍ଦ୍ଧଶତକ ଓ ୫ଟି ଶତକ ସହ ୧୮୫୪ ରନ କରିଛନ୍ତି। ତାଙ୍କର ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୧୭୩ ରନ। ୨୦୧୭-୧୮ ରଣଜୀ ସିଜନରେ ସେ ୪୨୭ ଓ ୨୦୧୮-୧୯ ରଣଜୀ ସିଜନରେ ସେ ୬୧୭ ରନ କରିଥିଲେ। ଶୁଭ୍ରାଂଶୁ ୨୨ଟି ଲିଷ୍ଟ-ଏ ମ୍ୟାଚରୁ ୩୪.୩୧ ଆଭ୍‌ରେଜରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସହ ୫୪୯ ରନ କରିଛନ୍ତି। ୧୧୯ ସର୍ବାଧିକ ସ୍କୋର ରହିଛି। ୨୧ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳି ୨୯.୩୫ ପ୍ରତିଶତ ହାରରେ ୨ଟି ଅର୍ଦ୍ଧଶତକ ସହ ୪୯୯ ରନ କରିଛନ୍ତି। ସେ ଚଳିତ ସିଜନର ବିଜୟ ହଜାରେ ଟ୍ରଫି ଦିନିକିଆ କ୍ରିକେଟରେ ଓଡ଼ିଶା ଦଳର ନେତୃତ୍ବ ନେଇଥିଲେ। ଏଥିରେ ହିମାଚଳ ପ୍ରଦେଶ ବିପକ୍ଷରେ ୮୨, ଜମ୍ମୁକଶ୍ମୀର ବିପକ୍ଷରେ ୨, ବିଦର୍ଭ ବିପକ୍ଷରେ ଅପରାଜିତ ୭୧, ଗୁଜରାଟ ସହ ୧ ଓ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୧୧୬ ରନ କରିଥିଲେ।

ସେ ମୋଟ ୫ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୨୭୫ ରନ କରିଥିଲେ। ସେହିପରି ସୟଦ ମୁସ୍ତାକ ଅଲୀ ଟ୍ରଫି ଟ୍ବେଣ୍ଟି୨୦ରେ ପଞ୍ଜାବ ବିପକ୍ଷରେ ୨, ମହାରାଷ୍ଟ୍ର ୨୭, ତାମିଲନାଡୁ ୬୭, ଗୋଆ ୩ ଓ ପଣ୍ଡିଚେରୀ ବିପକ୍ଷରେ ୩୭ ରନ କରିଥିଲେ।
ପୂର୍ବରୁ ଓଡ଼ିଶା ପାଇଁ ଖେଳିଥିବା ପ୍ରଥମ ଓଡ଼ିଆ କ୍ରିକେଟର ଭାବେ ହଳଧର ଦାସ ଡେକାନ ଚାଜର୍ସ ଓ କଲକାତା ନାଇଟ୍‌ ରାଇଡର୍ସ ପାଇଁ, ନଟରାଜ ବେହେରା କଲକାତା ନାଇଟ୍‌ ରାଇଡର୍ସ ଓ ବିପ୍ଳବ ସାମନ୍ତରାୟ ସନରାଇଜର୍ସ ହାଇଦରାବାଦ୍‌ ପାଇଁ ଖେଳିଥିଲେ। ୨୦୧୫ ଆଇପିଏଲରେ ଶେଷ ଥର ପାଇଁ ସନରାଇଜର୍ସ ହାଇଦରାବାଦ୍‌ ପାଇଁ ବିପ୍ଳବ ସାମନ୍ତରାୟ ଖେଳିଥିଲେ। ସେହିପରିି ଆଉ ୨ ଓଡ଼ିଆ ପ୍ରଜ୍ଞାନ ଓଝା ଓ ଅଭିଷେକ ରାଉତ ମଧ୍ୟ ଆଇପିଏଲ୍‌ ଖେଳିବାରେ ସଫଳ ହୋଇଛନ୍ତି। ଆଇପିଏଲ ଦଳ ଚେନ୍ନାଇ ସୁପର କିଙ୍ଗ୍‌ସରେ ସୁଯୋଗ ପାଇଥିବା ଶୁଭ୍ରାଂଶୁଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ସଫଳତା କାମନା କରିଛନ୍ତି।