ଚାମ୍ପିୟନ୍ସ ଟ୍ରଫି ଫାଇନାଲ୍ ଜିତିବା ପରେ ଉତ୍ସବମୁଖର ଭାରତୀୟ ଦଳ! ଏପରି ହେଲା ସେଲିବ୍ରେସନ, ଭିଡିଓ ଭାଇରାଲ….

 

ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଏକ ରୋମାଞ୍ଚକର ଢଙ୍ଗରେ ସମାପନ ହୋଇଛି। ରବିବାର ଦିନ ଦୁବାଇରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟାଇଟଲ ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ ଉଭୟ ଦଳ ପରସ୍ପରକୁ କଡ଼ା ଟକ୍କର ଦେଉଥିବାର ନଜର ଆସିଥିଲେ।  ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କିୱି ଦଳ ୭ ୱିକେଟ୍ ହରାଇ ୨୫୨ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ୨୫୪ ରନ୍ ସଂଗ୍ରହ କରି ଫାଇନାଲ ମ୍ୟାଚ୍ ଚାରି ୱିକେଟ୍ ରେ ଜିତିଥିଲା। ଚାମ୍ପିଅନ୍ ହେବା ପରେ ରୋହିତ ଶର୍ମା ଏବଂ ଦଳ ଆନନ୍ଦରେ ନାଚିବା ସହ ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି।

ମାର୍ଚ୍ଚ ୯ ତାରିଖରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଭାରତୀୟ ଦଳ ୧୨ ବର୍ଷ ପରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବାରେ ସଫଳ ହୋଇଛି। ଭାରତ ଶେଷଥର ପାଇଁ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୩ ରେ ଏହି ଟୁର୍ନାମେଣ୍ଟର ଟ୍ରଫି ଜିତିଥିଲା। ରୋହିତ ଶର୍ମା ଏବଂ ଭାରତୀୟ ଦଳ ନାଚ ଓ ଗୀତ ସହିତ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ରବିନ୍ଦ୍ର ଜାଡେଜା ଚୌକା ମାରି ମ୍ୟାଚ୍ ଶେଷ କରିବା ପରେ ପୁରା ଦଳ ସେଲିବ୍ରେସନ ପାଇଁ ପଡ଼ିଆ ମଧ୍ୟକୁ ଚାଲି ଆସିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଷ୍ଟମ୍ପରୁ ପରସ୍ପର ସହ ଷ୍ଟେମ୍ପସ୍ ରେ ଦାଣ୍ଡିଆ ଖେଳୁଥିବା ନଜର ଆସିଥିଲେ।