ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରୁ କୋହଲି ହେଲେ ବାହାର ତ ଏହି 35 ବର୍ଷୀୟ ଖେଳାଳିଙ୍କୁ ରୋହିତ ଦେବେ ସୁଯୋଗ….

 

ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଠ ଟେଷ୍ଟ ସିରିଜ୍ ଜାନୁୟାରୀ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ରୋହିତ ଶର୍ମା ଟିମ୍ ଇଣ୍ଡିଆର ଅଧିନାୟକ ରହିଥିବା ବେଳେ ବେନ ଷ୍ଟୋକ୍ସ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ତୁଲାଇବେ। ପ୍ରଥମ ୨ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆ ଦଳ ଘୋଷଣା କରି ସାରିଛି।  ପ୍ଥମ ମ୍ୟାଚ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ। ତେବେ, ମ୍ୟାଚ ଆରମ୍ଭ ହେବା ପୂର୍ବରୁ ହିଁ ଦଳକୁ ଏକ ବଡ଼ ଧକ୍କା ଲାଗିଛି।

ଭେଟେରାନ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ବିସିସିଆଇ ଏଥିନେଇ ଅଧିକାରୀକ ସୂଚନା ଦେଇଛି। ତେବେ, ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ ବ୍ୟକ୍ତିଗତ କାରଣ ହେତୁ ଖେଳିବେ ନାହିଁ। ତେବେ ଏହି କାରଣ ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। କୋହଲିଙ୍କ ସ୍ଥାନରେ ଜଣେ ୩୫ ବର୍ଷୀୟ ଭେଟେରାନ ଖେଳାଳିଙ୍କୁ ମଉକା ମିଳିପାରେ।

କିନ୍ତୁ ବିସିସିଆଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଷ୍ଟାର ବ୍ୟାଟ୍ସମ୍ୟାନ୍ ବ୍ୟକ୍ତିଗତ କାରଣ ଦର୍ଶାଇ ବିଶ୍ରାମ ମାଗିଛନ୍ତି, ଯାହା ବିସିସିଆଇ ଦ୍ୱାରା ଗ୍ରହଣ କରାଯାଇଛି। ବିରାଟଙ୍କ ଅନୁପସ୍ଥିତି ପରେ ଅବଶ୍ୟ ବିସିସିଆଇ ବଦଳ ଖେଳାଳିଙ୍କ ନାମ ଘୋଷଣା କରିନାହିଁ। କିନ୍ତୁ ରଣଜୀରେ ଅଭିଜ୍ଞ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନକୁ ବିଚାରକୁ ନେଲେ ସେ ବିରାଟଙ୍କ ଉପଯୁକ୍ତ ବଦଳ ଖେଳାଳି ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚେତେଶ୍ୱର ପୂଜାରା ଦୀର୍ଘ ଦିନ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି। କିନ୍ତୁ ନିକଟରେ ତାଙ୍କ ବ୍ୟାଟିଂ ରଣଜୀ ଟ୍ରଫିରେ ନିଆଁ ଲଗାଇ ଦେଇଛି। ଏହି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ବିଦର୍ଭ ବିପକ୍ଷରେ ସୌରାଷ୍ଟ୍ର ପାଇଁ ୬୬ ରନର ଇନିଂସ ଖେଳିଥିଲେ। ଏହି ଇନିଂସ ସହିତ ପୂଜାରା ପ୍ରଥମ ଶ୍ରେଣୀ କ୍ରିକେଟରେ ୨0 ହଜାର ରନ୍ ସ୍କୋର କରିବାରେ ଚତୁର୍ଥ ବ୍ୟାଟ୍ସମ୍ୟାନ୍ ହୋଇ ପାରିଛନ୍ତି।

ସେ ଏହି ମ୍ୟାଚର ପ୍ରଥମ ଇନିଂସରେ ୩ ରନ୍ ସଂଗ୍ରହ କରିଥିଲେ। ଏହା ବ୍ୟତୀତ ନିକଟରେ ପୂଜାରା ମଧ୍ୟ ଦ୍ୱିଶତକ ହାସଲ କରିଛନ୍ତି। ଏଭଳି ପରିସ୍ଥିତିରେ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ଉଭୟ ଟେଷ୍ଟ ମ୍ୟାଚରୁ ବାହାରିବା ପରେ ଟିମ୍ ଇଣ୍ଡିଆରେ ପୂଜାରାଙ୍କ ପ୍ରବେଶ ହେବାର ସମ୍ଭାବନା ଉଜ୍ଜ୍ୱଳ ରହିଛି।

୨୦୧୦ ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବା ଚେତେଶ୍ୱର ପୂଜାରା ଏପର୍ଯ୍ୟନ୍ତ ସୁଦ୍ଧା ୧୦୩ ଟି ଟେଷ୍ଟ ମ୍ୟାଚର ୧୭୬ ଇନିଂସରେ ୧୯ଟି ଶତକ, ୩ ଦ୍ୱିଶତକ ଏବଂ ୩୫ଟି ଅର୍ଦ୍ଧଶତକ ସହିତ ଟିମ ଇଣ୍ଡିଆ ପାଇଁ ୭୧୯୫ ରନ ସ୍କୋର କରିଛନ୍ତି। ଗତ ଦଶନ୍ଧିରେ ଦେଶ ତଥା ବିଦେଶରେ ଟେଷ୍ଟ କ୍ରିକେଟରେ ଭାରତର ସଫଳତାରେ ଏହି ବ୍ୟାଟ୍ସମ୍ୟାନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛନ୍ତି। ତେବେ, ଆଗକୁ ତାଙ୍କୁ ଭାରତୀୟ ଟେଷ୍ଟ ଦଳରେ ସୁଯୋଗ ମିଳୁଛି କି ନାହିଁ ତାହା ଦେଖିବା ବାକି ରହିଲା।

ଆହୁରି ପଢ଼ନ୍ତୁ:- ଦେଖନ୍ତୁ ଭିଡ଼ିଓ: ନୋ-ବଲ୍ ନଦେବା କୁ ନେଇ ଅମ୍ପାୟରଙ୍କ ସହିତ ମୁହାଁମୁହିଁ ହେବେ ରୋହିତ, 3 ମିନିଟ୍ ଯାଏଁ ବନ୍ଦ ରହିଲା ମ୍ୟାଚ