ତୃତୀୟ ଟେଷ୍ଟ ମ୍ୟାଚରେ କାହିଁକି କଳା ଆର୍ମବ୍ୟାଣ୍ଡ ପିନ୍ଧିଲେ ଭାରତୀୟ ଖେଳାଳି? ଜାଣନ୍ତୁ ଏହାର ପ୍ରକୃତ କାରଣ…..

 

ଶନିବାର ଇଂଲଣ୍ଡ ବିପକ୍ଷ ଚାଲିଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଇକୱାଡଙ୍କ ସ୍ମୃତିରେ ଭାରତୀୟ ଖେଳାଳିମାନେ କଳା ଆର୍ମବ୍ୟାଣ୍ଡ ପିନ୍ଧିଥିଲେ। ସେ ୧୯୫୧ ରୁ ୧୯୬୨ ମଧ୍ୟରେ ଭାରତ ପାଇଁ ୧୧ ଟି ଟେଷ୍ଟ ଖେଳିଥିବା ବେଳେ ତାଙ୍କର ୧୩ ଫେବୃଆରୀରେ ଦେହାନ୍ତ ହୋଇଛି। ସେ ଭାରତର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ।

ଦତ୍ତଜୀରାଓ ଗାଏକୱାଡ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ପ୍ରଶିକ୍ଷକ ଅନସୁମାନ ଗାଏକୱାଡଙ୍କ ପିତା ଥିଲେ।  ତୃତୀୟ ଦିନିକିଆ ଖେଳ ଆରମ୍ଭ ପୂର୍ବରୁ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର କ୍ରିକେଟ୍ ଇଂ ଇଣ୍ଡିଆ(ବିସିସିଆଇ) କହିଛି ଯେ 'ଟିମ୍ ଇଣ୍ଡିଆ ଭାରତର ପୂର୍ବତନ ଅଧିନାୟକ ତଥା ଦେଶର ସର୍ବ ପୁରାତନ ଟେଷ୍ଟ କ୍ରିକେଟରଙ୍କ ସ୍ମୃତିରେ କଳା ଆର୍ମବ୍ୟାଣ୍ଡ ପିନ୍ଧିବେ। ନିକଟରେ ତାଙ୍କର ଦେହାନ୍ତ ହୋଇଛି’।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ତଥା ପୂର୍ବତନ ଅଧିନାୟକ ଦତ୍ତାଜିରାଓ ଗାଇକୱାଡଙ୍କ ବୟସ ସମ୍ବନ୍ଧୀୟ ରୋଗ ହେତୁ ଫେବୃଆରୀ ୧୩ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି।  ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ପରିବାର ସୂତ୍ରରୁ ପ୍ରକାଶ ଯେ ଗତ ୧୨ ଦିନ ଧରି ବରୋଦା ଡାକ୍ତରଖାନାର ଆଇସିୟୁରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରିବା ପରେ ସେ ୧୩ ତାରିଖ ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  

୧୯୫୯ ମସିହାରେ ଇଂଲଣ୍ଡ ଗସ୍ତରେ ଦତ୍ତାଜିରାଓ ଗାଏକୱାଡ ଜାତୀୟ ଦଳର ଅଧିନାୟକ ହୋଇଥିଲେ। ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ୧୯୫୨ ମସିହାରେ ଲିଡ୍ସରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିଲେ ଏବଂ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୧୯୬୧ ମସିହାରେ ଚେନ୍ନାଇରେ ପାକିସ୍ତାନ ବିପକ୍ଷରେ ହୋଇଥିଲା। ୧୯୪୭ ରୁ ୧୯୬୧ ପର୍ଯ୍ୟନ୍ତ ରଣଜୀ ଟ୍ରଫିରେ ଦତ୍ତାଜିରାଓ ଗାଏକୱାଡ ବରୋଦାଙ୍କୁ ପ୍ରତିନିଧିତ୍ୱ କରିଥିଲେ। 

ସେ ହାରାହାରି ୪୭.୫୬ ରେ ୩୧୩୯ ରନ୍ ସ୍କୋର କରିଥିଲେ, ଯେଉଁଥିରେ ୧୪ଟି ଶତକ ଅନ୍ତର୍ଭୁକ୍ତ ରହିଥିଲା। ୧୯୫୯–୬୦ ସିଜନରେ ମହାରାଷ୍ଟ୍ର ବିପକ୍ଷରେ ଦତ୍ତାଜିରାଓ ଗାଏକୱାଡଙ୍କ ସର୍ବାଧିକ ସ୍କୋର ୨୪୯ ରହିଥିଲା। ସେ ୨୦୧୬ ରେ ଭାରତର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ରହିଥିଲେ। ତାଙ୍କ ପୂର୍ବରୁ ଦୀପକ ଶୋହନ ଭାରତର ସର୍ବ ପୁରାତନ ଟେଷ୍ଟ କ୍ରିକେଟର ଥିଲେ।  ପୂର୍ବତନ ବ୍ୟାଟ୍ସମ୍ୟାନ୍ ଶୋହନ ୮୭ ବର୍ଷ ବୟସରେ ଅହମ୍ମଦାବାଦରେ ମୃତ୍ୟୁ ବରଣ କରିଥିଲେ।