ଏହି କାରଣରୁ ମ୍ୟାଚ ସମୟରେ କୋହଲିଙ୍କୁ ଷ୍ଟମ୍ପ୍ ଉପାଡ଼ି ପିଟିବାକୁ ଚାହୁଁଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର, ଆଉ ତାପରେ...

 
କ୍ରିକେଟ ଖବର : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ନିଜର ଗରମ ମିଜାଜ ପାଇଁ ବେଶ ଜଣାଶୁଣା। ସେ ପଡ଼ିଆ ତଥା ପଡିଆ ବାହାରେ ନିଜର ଗରମ ମିଜାଜ ପାଇଁ ଅନେକ ବିବାଦରେ ରହି ଆସିଛନ୍ତି। ତେବେ ଏହାରି ମଧ୍ୟରେ ବିରାଟ କୋହଲିଙ୍କ ଆକ୍ରମଣାତ୍ମକ ଆଚରଣ ଯୋଗୁଁ ଥରେ ଜଣେ ଅଷ୍ଟ୍ରେଲୀୟ କ୍ରିକେଟର ବିରାଟ କୋହଲିଙ୍କୁ ଷ୍ଟମ୍ପରେ ପିଟିବାକୁ ଚାହୁଁଥିଲେ ବୋଲି କହିଛନ୍ତି।

ଫକ୍ସ ସ୍ପୋର୍ଟସକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ଇଡ୍ କୋୱାନ୍ (Ed Cowan) ଏହି ଖୁଲାସା କରିଛନ୍ତି । ୨୦୧୩ ମସିହାରେ ଅଷ୍ଟ୍ରେଲିଆ ଦଳ ଭାରତ ଗସ୍ତରେ ଆସିଥିଲା। ଏହି ସମୟରେ ଇଡ କୋୱାନ ଏବଂ ବିରାଟ କୋହଲିଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଇଡ କୋୱାନଙ୍କ କହିବା ଅନୁଯାୟୀ, କୋହଲି ତାଙ୍କୁ କିଛି ଅନୁପଯୁକ୍ତ ତଥା ଖରାପ ଶବ୍ଦ କହିଥିଲେ, ଯେଉଁଥିପାଇଁ ସେ କୋହଲିଙ୍କୁ ଷ୍ଟମ୍ପରେ ପିଟିବାକୁ ଚାହୁଁଥିଲେ।

ଇଡ୍ କୋୱାନ୍ କହିଛନ୍ତି ଯେ, ସେହି ସମୟରେ କୋହଲିଙ୍କର ଆଚରଣ ଅତ୍ୟନ୍ତ ଖରାପ ଥିଲା। 'ସେହି ସିରିଜ୍ ସମୟରେ ମୋ ମା' ବହୁତ ଅସୁସ୍ଥ ଥିଲେ ଏବଂ କୋହଲି ଏପରି କିଛି କହିଥିଲେ ଯାହା ମୋ ପାଇଁ ଅତ୍ୟନ୍ତ ଅନୁପଯୁକ୍ତ ଶବ୍ଦ ଥିଲା । ଏହା ଏକ ବ୍ୟକ୍ତିଗତ ବିଷୟ ଯାହା ଅତ୍ୟନ୍ତ ସମ୍ବେଦନଶୀଳ ରହିଥିଲା।

ତେବେ କୋହଲି ସେ ପର୍ଯ୍ୟନ୍ତ ଅନୁଭବ କରିନଥିଲେ ଯେ ସେ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ଯେପର୍ଯ୍ୟନ୍ତ ଅମ୍ପାୟାର ଆସି କହିଥିଲେ ଯେ ବିରାଟ ଆପଣ ସୀମା ଅତିକ୍ରମ କରୁଛନ୍ତି ଏବଂ ଏହା କହିବା ପରେ ସେ ନିଜର ଭୁଲ୍ ବୁଝିପାରି କ୍ଷମା ମାଗିଥିଲେ । ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ଇଡ୍ କୋୱାନ୍ କହିଛନ୍ତି, 'ସେହି ସମୟରେ ଏପରି ଏକ ମୁହୂର୍ତ୍ତ ଥିଲା ଯେତେବେଳେ ମୁଁ ଷ୍ଟମ୍ପ ଉପାଡ଼ି ତାଙ୍କୁ ପିଟିବାକୁ ଚାହୁଁଥିଲି ।