ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ ପାଇଁ ଦଳ ଘୋଷିତ! ବୁମ୍ରା କରିଲେ ପ୍ରତ୍ୟାବର୍ତ୍ତନ, ଏହି ଖେଳାଳିଙ୍କ ହେଲା ଛୁଟି…..

 

ବିସିସିଆଇ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ମ୍ୟାଚ୍ ପାଇଁ ନୂତନ ଦଳ ଘୋଷଣା କରିଛି।  ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ପଞ୍ଚମ ଟେଷ୍ଟ ମ୍ୟାଚ ପାଇଁ ଦଳକୁ ଫେରିଛନ୍ତି।  ଚତୁର୍ଥ ଟେଷ୍ଟ ମ୍ୟାଚରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏଥି ସହିତ ଦୁଇ ଖେଳାଳିଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆସନ୍ତୁ ପଞ୍ଚମ ଟେଷ୍ଟ ମ୍ୟାଚ୍  ପାଇଁ ଭାରତୀୟ ଦଳରେ ହୋଇଥିବା ପରିବର୍ତ୍ତନ ଉପରେ ନଜ଼ର ପକାଇବା।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ୍ ଧରମଶାଲାରେ ଖେଳାଯିବ। ମାର୍ଚ୍ଚ ୭ ତାରିଖରୁ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ପାଇଁ ଭାରତୀୟ ଦଳ ପ୍ରସ୍ତୁତି ଆରମ୍ଭ କରିଛି।  ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏହି ସଂଘର୍ଷ ହେବ। କିନ୍ତୁ ଏହା ପୂର୍ବରୁ ବିସିସିଆଇ ଦଳରେ କିଛି ପରିବର୍ତ୍ତନ କରିଛି।

ବାସ୍ତବରେ ରାଞ୍ଚିରେ ଚତୁର୍ଥ ଟେଷ୍ଟ ପାଇଁ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଦଳରୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ପାଇଁ ଆକାଶଦୀପ ଚୂଡାନ୍ତ ଏକାଦଶରେ ଅନ୍ତର୍ଭୁକ୍ତ ହୋଇଥିଲେ।  କିନ୍ତୁ ବର୍ତ୍ତମାନ ଭାରତୀୟ ବୋର୍ଡ ସୂଚନା ଦେଇଛି ଯେ ବୁମ୍ରା ପଞ୍ଚମ ଟେଷ୍ଟ ପାଇଁ ଧର୍ମଶାଲାରେ ଦଳରେ ଯୋଗଦେବେ।

ଜସପ୍ରୀତ ବୁମ୍ରା ଦଳକୁ ଫେରିଥିବାବେଳେ ୱାଶିଂଟନ୍ ସୁନ୍ଦରଙ୍କୁ ବାଦ୍ ଦିଆଯାଇଛି।  ମାର୍ଚ୍ଚ ୨ ତାରିଖରୁ ମୁମ୍ବାଇ ବିପକ୍ଷରେ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚ୍ ପାଇଁ ସେ ତାଙ୍କ ରଣଜୀ ଟ୍ରଫି ଦଳ ତାମିଲନାଡୁ ପାଇଁ ଉପଲବ୍ଧ ହେବେ। ତେବେ ଯଦି ତାଙ୍କୁ ପଞ୍ଚମ ଟେଷ୍ଟ ମ୍ୟାଚରେ ଆବଶ୍ୟକ ହୁଏ ତେବେ ତାଙ୍କୁ ପୁନର୍ବାର ଡକାଯିବ।  ଏହା ବ୍ୟତୀତ ଧରମଶାଲାରେ ହେବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟରୁ କେ.ଏଲ୍ ରାହୁଲଙ୍କୁ ବାଦ୍ ଦିଆଯାଇଛି।  ବିସିସିଆଇର ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିବା ସହିତ ଲଣ୍ଡନର ବିଶେଷଜ୍ଞଙ୍କ ସହ ସେ ତାଙ୍କ ସମସ୍ୟାର ସମାଧାନ କରୁଛନ୍ତି।


ପଞ୍ଚମ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପଅଧିନାୟକ), ଯଶସ୍ୱୀ ଜୟସୱାଲ, ଶୁଭମାନ ଗିଲ, ରଜତ ପାଟିଦାର, ସରଫରାଜ ଖାନ, ଧ୍ରୁଭ ଜୁରେଲ, କେ.ଏସ୍ ଭରତ, ଦେବଦତ୍ତ ପାଡ଼ିକଲ, ରବିଚନ୍ଦ୍ରନ ଅଶ୍ୱିନ, ଅକ୍ସର ପଟେଲ, ରବୀନ୍ଦ୍ର ଜାଡେଜା, ମହମ୍ମଦ  ସିରାଜ, ମୁକେଶ କୁମାର, ଆକାଶ ଦୀପ, କୁଲଦୀପ ଯାଦବ।