ଟି-୨୦ ବିଶ୍ୱକପରେ ଖୋଲାଖୋଲି ଚାଲିଛି ଫିକ୍ସିଂ! ଏହି ଖେଳାଳି କରିଲେ ବଡ଼ ଖୁଲାସା….

 

ମ୍ୟାଚ୍ ଫିକ୍ସିଂ କ୍ରିକେଟ୍ ରେ ଏକ ନୂଆ କଥା ନୁହେଁ। ଇତିହାସରେ ଅନେକ ଥର ଖେଳାଳିମାନେ ଟଙ୍କା ପାଇଁ ନିଜ ଦଳ ସହିତ ବିଶ୍ୱାସଘାତକତା କରିଛନ୍ତି। କ୍ରିକେଟ୍ ରେ ଦୁର୍ନୀତି, କ୍ରମାଗତ ଭାବରେ କ୍ରୀଡ଼ା ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟି-୨୦ ବିଶ୍ୱକପ ୨୦୨୪ ରେ ମ୍ୟାଚ୍ ଫିକ୍ସିଂର ଖବର ପରିବେଶକୁ ଗରମ କରିଦେଇଛି। ନିକଟରେ ମିଳିଥିବା ରିପୋର୍ଟ ଅନୁଯାୟୀ, ବର୍ତ୍ତମାନର ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ମ୍ୟାଚ୍‌ ଫିକ୍ସିଂ କରିବାକୁ ଏକ ଦଳ ଚେଷ୍ଟା କରିଥିଲା।  

ବୁଧବାର ଠାରୁ ଟି-୨୦ ବିଶ୍ୱକପ ୨୦୨୪ ର ସୁପର-୮ ପର୍ଯ୍ୟାୟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ମଧ୍ୟରେ ଖେଳାଯାଇଥିଲା। କିନ୍ତୁ ଏହା ପୂର୍ବରୁ ଏକ ବଡ ଖବର ସାମ୍ନାକୁ ଆସିଛି। ପିଟିଆଇ ରିପୋର୍ଟ ଅନୁଯାୟୀ, ଗ୍ରୁପ୍ ପର୍ଯ୍ୟାୟରେ କେନିଆର ଜଣେ ପୂର୍ବତନ ଦ୍ରୁତ ବୋଲର ବିଭିନ୍ନ ନମ୍ବରରୁ କଲ କରି ଉଗାଣ୍ଡା ଦଳର ସଦସ୍ୟଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।

ଆଇସିସିର ଦୁର୍ନୀତି ନିବାରଣ ପ୍ରୋଟୋକଲ୍ ପରେ ଉଗାଣ୍ଡା ଖେଳାଳି ଏସିୟୁ ଅଧିକାରୀମାନଙ୍କୁ ସୂଚନା ଦେଇଛନ୍ତି। ଉତ୍ସ PTI କୁ କହିଛି ଯେ,“ଆଶ୍ଚର୍ଯ୍ୟର କଥା ଯେ ଏହି ବ୍ୟକ୍ତି ଉଗାଣ୍ଡା ଜାତୀୟ ଦଳର ଜଣେ ସଦସ୍ୟଙ୍କୁ ଟାର୍ଗେଟ କରିଥିଲେ। ବଡ ଦେଶ ତୁଳନାରେ ଆସୋସିଏଟ ଦେଶର ଖେଳାଳିଙ୍କ ସହ ଯୋଗାଯୋଗ କରିବା ସହଜ, କିନ୍ତୁ ଏହି ଘଟଣାରେ ଯେଉଁ ଖେଳାଳିଙ୍କୁ ଯୋଗାଯୋଗ କରାଯାଇଥିଲା ସେ ଏଥିନେଇ ଆଇସିସିକୁ ଜଣାଇଥିଲେ”।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ବିଶ୍ୱକପରେ ମ୍ୟାଚ୍ ଫିକ୍ସିଂ ପାଇଁ ଚେଷ୍ଟା କରାଯାଇଛି।  ୨୦୧୧ ODI ବିଶ୍ୱକପ ସମୟରେ ଜଣେ ଅଭିଯୁକ୍ତ ବୁକି ତତ୍କାଳୀନ ୨୦ ବର୍ଷୀୟ କାନାଡିୟ ଖେଳାଳି ହାମଜା ତାରିକଙ୍କ ସହ ଯୋଗାଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମ୍ୟାଚ୍ ଫିକ୍ସିଂ ପାଇଁ ଆଇସିସି ଅନେକ ଖେଳାଳିଙ୍କୁ ନିଷିଦ୍ଧ କରି ସାରିଛି। ମ୍ୟାଚ୍ ଫିକ୍ସିଂ ପାଇଁ ପାକିସ୍ତାନର ପୂର୍ବତନ ଖେଳାଳି ସଲିମ ମଲିକଙ୍କୁ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଥିଲା। ଏହା ବ୍ୟତୀତ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ ଏବଂ ଅଜୟ ଶର୍ମାଙ୍କ ନାମ ମଧ୍ୟ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଆସିଛି।  ଏହି ଖେଳାଳିମାନଙ୍କୁ ମଧ୍ୟ ବାସନ୍ଦ କରାଯାଇଥିଲା।