ରୋହିତଙ୍କ ପରେ ଏହି ଖେଳାଳି ହେବେ ଭାରତୀୟ ଦଳର ଅଧିନାୟକ! ବୁମ୍ରା ଏବଂ ଗିଲଙ୍କୁ ମିଳିବନି ମଉକା….

 

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ଆର ଅଶ୍ୱିନଙ୍କ ଅବସର ପରେ ତାଙ୍କ ଉପରେ ମଧ୍ୟ ଅବସରର ଚାପ ପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୋହିତ ୨୦୨୭ ଏକଦିବସିୟ ବିଶ୍ୱକପ ଖେଳିବା ପରେ କ୍ରିକେଟକୁ ବିଦାୟ ଦେବେ। କାରଣ, ସେତେବେଳକୁ ସେ ୩୯ ବର୍ଷ ବୟସରେ ପଦାର୍ପଣ କରି ସାରିଥିବେ। ଏଭଳି ପରିସ୍ଥିତିରେ ସମସ୍ତଙ୍କ ଆଖି ନୂଆ ଅଧିନାୟକଙ୍କ ଉପରେ ରହିବ ନିଶ୍ଚିତ।

ରୋହିତଙ୍କ ପରେ ଶୁଭମାନ ଗିଲ ଏବଂ ଜସପ୍ରୀତ ବୁମ୍ରାଙ୍କ ନାମ ଅଧିନାୟକ ହେବା ପାଇଁ ଆଗରେ ଅଛି। ଉଭୟ ଖେଳାଳି ଭାରତର ଅଧିନାୟକତ୍ୱ କରି ସାରିଛନ୍ତି। କିନ୍ତୁ, ଏହି ଦୁଇ ଜଣଙ୍କ ବ୍ୟତୀତ ଜଣେ ୩୦ ବର୍ଷୀୟ ଖେଳାଳି ମଧ୍ୟ ଭାରତୀୟ ଅଧିନାୟକ ହୋଇପାରନ୍ତି। ଆସନ୍ତୁ ଜାଣିବା ସେହି ଖେଳାଳୀ ଜଣକ କିଏ? 

ରୋହିତ ଶର୍ମାଙ୍କ ଅବସର ପରେ ଟିମ୍ ଇଣ୍ଡିଆର ନୂତନ ଉତ୍ତରାଧିକାରୀ କିଏ ହେବେ? ଏହା ଉପରେ ଆଲୋଚନା ଆରମ୍ଭ ହୋଇସାରିଛି। କାରଣ, ରୋହିତ ହଠାତ୍ ଅଶ୍ୱିନଙ୍କ ପରି ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ରୁ ବିଦାୟ ନେଇପାରନ୍ତି। ଏଭଳି ପରିସ୍ଥିତିରେ ଭାରତୀୟ ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ହିଟମ୍ୟାନଙ୍କ ସ୍ଥାନ ନେଇପାରିବେ। ନିକଟରେ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଜସପ୍ରୀତ ବୁମ୍ରାଙ୍କୁ ଅଧିନାୟକତ୍ୱ କରୁଥିବା ଦେଖିବାକୁ ମିଳିଥିଲା। 

ଚଳିତ ବର୍ଷ ଶୁଭମାନ ଗିଲ ଟି-୨୦ ରେ ଜିମ୍ବାୱେ ବିପକ୍ଷରେ ଅଧିନାୟକ ହେବାର ସୁଯୋଗ ପାଇଛନ୍ତି। ତାଙ୍କ ଅଧିନାୟକତ୍ୱରେ ମଧ୍ୟ ଭାରତ ବିଜୟୀ ହୋଇଥିଲା। ଭବିଷ୍ୟତରେ ଟିମ୍ ଇଣ୍ଡିଆର ଅଧିନାୟକ ହେବାକୁ ଉଭୟ ଖେଳାଳି ଦାବିଦାର ଅଟନ୍ତି। କିନ୍ତୁ, ସେମାନେ ନିରାଶାର ସମ୍ମୁଖୀନ ହୋଇପାରନ୍ତି। କାରଣ, ଭାରତୀୟ କ୍ରିକେଟ୍ ବୋର୍ଡ ଅଧିନାୟକ ଭାବରେ ଶ୍ରେୟସ୍ ଆୟରଙ୍କୁ ଚୟନ କରିପାରନ୍ତି।

ଆଜିକାଲି ଶ୍ରେୟସ୍ ଆୟର ଟିମ୍ ଇଣ୍ଡିଆର ଏକ ଅଂଶ ନୁହଁନ୍ତି। କିନ୍ତୁ, ଘରୋଇ କ୍ରିକେଟ୍ ରେ ସେ ନିଜ ଅଧିନାୟକତ୍ୱ ସହିତ ସମସ୍ତଙ୍କୁ  ପ୍ରଭାବିତ କରିଛନ୍ତି। ନିକଟରେ ସୟଦ ମୁସ୍ତାକ ଅଲି ଟ୍ରଫି ଖେଳାଯାଇଥିଲା।  ଯେଉଁଥିରେ ମୁମ୍ବାଇର ଅଧିନାୟକ ଦାୟିତ୍ୱ ଶ୍ରେୟସ୍ ଆୟରଙ୍କ ହାତରେ ଥିଲା। ଭଲ ବ୍ୟାଟିଂ ସହିତ ସେ ଅଧିନାୟକତ୍ୱରେ ନିଜର ଛାପ ଛାଡିଥିଲେ। ଯେଉଁଥିପାଇଁ ମୁମ୍ବାଇ ଆୟରଙ୍କ ଅଧିନାୟକତ୍ୱରେ ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୪ ଟାଇଟଲ ଜିତିବାରେ ସଫଳ ହୋଇଛି। IPL ୨୦୨୪ ରେ ମଧ୍ୟ ସେ KKR ପାଇଁ ଟ୍ରଫି ଜିତିଥିଲେ।

ତାଙ୍କ ଅଧିନାୟକତ୍ୱରେ କେକେଆର୍ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଜିତିଥିଲା। ପଡ଼ିଆରେ ସେ ଶେଷ ପର୍ଯ୍ୟନ୍ତ ହାର ମାନନ୍ତି ନାହିଁ ଏବଂ ତାଙ୍କର ରଣକୌଶଳ ସାହାଯ୍ୟରେ ସେ ବିପକ୍ଷ ଦଳକୁ ମାତ୍ ଦେଇଥାନ୍ତି। ତାଙ୍କ ଦକ୍ଷତାକୁ ବିଚାରକୁ ନେଇ ବିସିସିଆଇ ତାଙ୍କୁ ରୋହିତଙ୍କ ପରେ ODI ଫର୍ମାଟରେ ଅଧିନାୟକ ଭାବରେ ଚୟନ କରିପାରେ।