ଟି-୨୦ କ୍ରିକେଟରେ ରୋହିତ ଶର୍ମାଙ୍କ ବଡ଼ କୀର୍ତ୍ତିମାନ! ଅନ୍ୟ କୌଣସି ଭାରତୀୟ ହାସଲ କରି ପାରିନାହାଁନ୍ତି ଏହି ରେକର୍ଡ….

 

ମୁମ୍ବାଇ ଇଣ୍ଡିଆନ୍ସ ଦଳ ପାଇଁ ଆଇପିଏଲ ୨୦୨୪ ରେ ବିଜୟର ଖାତା ଖୋଲିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୯ ରନରେ ଏହି ମ୍ୟାଚ ଜିତିଛି।  ଟି-୨୦ କ୍ରିକେଟରେ ମୁମ୍ବାଇ ଇଣ୍ଡିଆନ୍ସର ଏହା ହେଉଛି ୧୫୦ ତମ ବିଜୟ।  ମୁମ୍ବାଇ ଇଣ୍ଡିଆନ୍ସ ପୂର୍ବରୁ କୌଣସି ଦଳ ଟି-୨୦ କ୍ରିକେଟରେ ୨୫୦ ଟି ମ୍ୟାଚ୍ ଜିତିନାହିଁ। ରୋହିତ ଶର୍ମା ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ।

ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ଟି-୨୦ କ୍ରିକେଟରେ ରୋହିତ ଶର୍ମାଙ୍କ ୪୩୦ ତମ ମ୍ୟାଚ ଥିଲା। ଦିଲ୍ଲୀ ବିପକ୍ଷରେ ବିଜୟ ସହିତ ରୋହିତ ତାଙ୍କ ଟି-୨୦ କ୍ୟାରିୟରର ୨୫୦ ତମ ମ୍ୟାଚ୍ ଜିତିଛନ୍ତି। ଏଥିସହିତ ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବରେ ୨୫୦ ଟି-୨୦ ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି। ଏହି ତାଲିକାରେ ଏମଏସ ଧୋନି ଦ୍ୱିତୀୟ ସ୍ଥାନରେ ଅଛନ୍ତି, ଯିଏକି ୨୨୨ ଟି ମ୍ୟାଚ ଜିତିଛନ୍ତି।

ଟି-୨୦ କ୍ରିକେଟରେ ୨୫୦ କିମ୍ବା ଅଧିକ ମ୍ୟାଚ୍ ଜିତିବାରେ ରୋହିତ ଶର୍ମା ଷଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ କିରୋନ ପୋଲାର୍ଡ, ଶୋଏବ ମଲିକ, ଡ୍ୱେନ୍ ବ୍ରାଭୋ, ସୁନୀଲ ନାରିନ ଏବଂ ଆଣ୍ଡ୍ରେ ରସେଲ ଏହି ସଫଳତା ହାସଲ କରିଛନ୍ତି। କିରୋନ ପୋଲାର୍ଡ, ଶୋଏବ ମଲିକ ଏବଂ ଡ୍ୱେନ୍ ବ୍ରାଭୋ ଏପର୍ଯ୍ୟନ୍ତ ୩୦୦ ବିଜୟକୁ ଅତିକ୍ରମ କରିଛନ୍ତି।

ଟି-୨୦ ରେ ଅଧିକାଂଶ ମ୍ୟାଚ୍ ଜିତିଥିବା ଖେଳାଳି:-

୧.୩୫୯- କାଇରନ୍ ପୋଲାର୍ଡ।

୨.୩୨୫ - ଶୋଏବ ମଲିକ୍।

୩.୩୨୦ - ଡ୍ୱେନ ବ୍ରାଭୋ।

୪.୨୮୬ - ସୁନୀଲ ନାରିନ।

୫.୨୫୦ - ଆଣ୍ଡ୍ରେ ରସେଲ୍।

୬.୨୫୦ - ରୋହିତ ଶର୍ମା।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ଏହି ମ୍ୟାଚରେ ରୋହିତ ୨୭ ବଲର ସମ୍ମୁଖିନ ହୋଇ ୪୯ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟରୁ ୬ ଟି ଚୌକା ଓ ୩ଟି ଛକା ଦେଖିବାକୁ ମିଳିଥିଲା। ଏହା ସହ ସେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୧୦୦୦ ରନ୍ ମଧ୍ୟ ଅର୍ଜନ କରିଛନ୍ତି। ରୋହିତଙ୍କ ବ୍ୟତୀତ କେବଳ ବିରାଟ କୋହଲି ଦିଲ୍ଲୀ ବିପକ୍ଷରେ ୧୦୦୦ ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି। ଏହି ମ୍ୟାଚରେ ପ୍ରଥମ ଚୌକା ମାରିବା ପରେ ରୋହିତ ଟି-୨୦ କ୍ରିକେଟରେ ୧୫୦୦ ବଉଣ୍ଡରି ମଧ୍ୟ ପୂରଣ କରିଛନ୍ତି।  ସେ ଟି-୨୦ କ୍ରିକେଟରେ ୧୫୦୦ ବଉଣ୍ଡରି ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ହୋଇ ପାରିଛନ୍ତି।