ବିଶ୍ୱକପ ଜିତିଥିବା ଖେଳାଳିଙ୍କ ଉପରେ ଛିଡ଼ିଲା ଦୁଃଖର ପାହାଡ଼! ପତ୍ନୀଙ୍କର ହେଲା ଦେହାନ୍ତ….
ବାଂଲାଦେଶ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଖେଳାଳିମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଚେନ୍ନାଇରେ ୧୯ ସେପ୍ଟେମ୍ବରରେ ଖେଳାଯିବ। ନିକଟରେ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମନ ଗିଲ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିବାର ମଧ୍ଯ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ସମୟରେ ଭାରତୀୟ ଦଳରେ ଶୋକର ଲହରୀ ଖେଳିଯାଇଛି। କାରଣ ବିଶ୍ୱକପ ଦଳର ଜଣେ ଖେଳାଳିଙ୍କ ପତ୍ନୀଙ୍କର ହଠାତ୍ ମୃତ୍ୟୁ ଘଟିଛି।
୧୯୮୩ ବିଶ୍ୱକପ୍ ଟିମ୍ ଇଣ୍ଡିଆର ଅଂଶବିଶେଷ ଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ଟିଏମସି ସାଂସଦ କିର୍ତ୍ତୀ ଆଜାଦଙ୍କ ଉପରେ ଦୁଃଖର ପାହାଡ ଛିଡି ପଡିଛି। ତାଙ୍କ ପତ୍ନୀ ପୁନମ୍ ଝାଙ୍କର ହଠାତ୍ ମୃତ୍ୟୁ ଘଟିଛି। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇଛନ୍ତି ।
ତେବେ ପୁନମ ଝା ୧୩ ନଭେମ୍ବର ୨୦୧୬ରେ ଆମ୍ ଆଦମୀ ପାର୍ଟିରେ କାମ କରୁଥିଲେ। ଏହା ପରେ ପୁନମ୍ କଂଗ୍ରେସରେ ଯୋଗ ଦେଇଥିଲେ। ତାଙ୍କ ଦେହାନ୍ତରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ପୁନମ୍ ଝାଙ୍କ ଦେହାନ୍ତ ଖବର ପାଇ କିର୍ତ୍ତୀ ଆଜାଦ ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍ କରି ଲେଖିଛନ୍ତି ଯେ, 'ମୋ ପତ୍ନୀ ପୁନମ୍ ଆଉ ନାହାଁନ୍ତି। ସେ ରାତି ୧୨ ଟା ୪୦ ମିନିଟ୍ ରେ ସ୍ୱର୍ଗବାସୀ ହୋଇ ଯାଇଛନ୍ତି’।
କିର୍ତ୍ତୀ ଆଜାଦ ଏପ୍ରିଲ ୧୯୮୬ ରେ ପୁନମ୍ ଝାଙ୍କୁ ବିବାହ କରିଥିଲେ। ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି କିର୍ତ୍ତୀ ଆଜାଦ ତାଙ୍କୁ ପ୍ରଥମ ଦେଖାରେ ହୃଦୟ ଦେଇ ବସିଥିଲେ। କିର୍ତ୍ତୀ ଆଜାଦ ଏକ ସାକ୍ଷାତକାରରେ କହିଛନ୍ତି ଯେ, “ମୋ ମା ମୋ ପାଇଁ ପୁନମଙ୍କୁ ପସନ୍ଦ କରିଥିଲେ। ପୁନମଙ୍କୁ ଦେଖିବା ପାଇଁ ଆମେ ପାଟନା ମହିଳା ଡିଗ୍ରୀ କଲେଜକୁ ଯାଇଥିଲୁ, ଯେଉଁଠାରେ ସେ ଛାତ୍ରୀ ଥିଲେ ।
ସୂଚନାଯୋଗ୍ୟ ଯେ କିର୍ତ୍ତୀ ବର୍ଦ୍ଧନ ଭଗବତ ଝା ଆଜାଦ ବିଶ୍ୱକପ ଦଳର ଏକ ଅଂଶ ରହିଥିଲେ। ସେ ଭାରତ ପାଇଁ ୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ୧୩୫ରନ୍ ସଂଗ୍ରହ କରିଛନ୍ତି। ତେବେ ସେ ୨୫ଟି ଏକଦିବସିୟ ମ୍ୟାଚ୍ ଖେଳିଥିବା ବେଳେ ସେଥିରେ ୨୬୯ ରନ୍ ସ୍କୋର କରିଛନ୍ତି। ଏପରିକି ବୋଲିଂ କରି ସେ ୭ଟି ୱିକେଟ୍ ମଧ୍ୟ ନେଇଛନ୍ତି।