ଟି-୨୦ ବିଶ୍ୱକପ ପାଇଁ ହରଭଜନଙ୍କ ଭାରତୀୟ ଦଳ! ହାର୍ଦ୍ଦିକ, ରାହୁଲ ବାଦ୍ ଏହି ଖେଳାଳି ହେଲେ ସାମିଲ….

 

ଜୁନ ମାସଠାରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ ୨୦୨୪। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଉଭୟେ ମିଳିତ ଭାବରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଥିବା ବେଳେ ଏଥିନେଇ ଭାରତୀୟ ଦଳ କଣ ରହିବ ସେଥିନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ତେବେ, ଅନେକ ପୂର୍ବତନ କ୍ରିକେଟର ସେମାନଙ୍କ ମନ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିସାରିଛନ୍ତି।

ଆମ୍ବତି ରାୟୁଡୁ ଏବଂ ଇରଫାନ ପଠାନଙ୍କ ପରେ ଏବେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ ମଧ୍ୟ ନିଜ ପସନ୍ଦର ଭାରତୀୟ ଦଳ ଘୋଷଣା କରିଛନ୍ତି। ତେବେ, ଚଳିତ IPL ରେ ପ୍ରଦର୍ଶନ ଏବଂ ଫର୍ମକୁ ଆଧାର କରି ସେ ଟିମ୍ ବାଛିଥିବା ଅନୁମାନ କରାଯାଏ। ହରଭଜନଙ୍କ ଭାରତୀୟ ଦଳରେ ମହମ୍ମଦ ସିରାଜ ଏବଂ କେଏଲ ରାହୁଲଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇନାହିଁ।

କେବଳ ସେତିକି ନୁହେଁ ବରଂ ଦିନେଶ୍ କାର୍ତ୍ତିକ ଏବଂ ହାର୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ନିଜ ଦଳରେ ସାମିଲ କରିନାହାନ୍ତି ଟର୍ବୋନେଟର୍। ଏହା ବ୍ୟତୀତ ଯଶସ୍ୱୀ ଜୈୟସ୍ୱାଲ ଏବଂ ରୋହିତ ଶର୍ମାଙ୍କୁ ସେ ଭାରତୀୟ ଦଳର ଓପନର୍ ଭାବରେ ଚୟନ କରିଛନ୍ତି। ହରଭଜନ ରବୀନ୍ଦ୍ର ଜାଡେଜା ଏବଂ ଶିବମ ଦୁବେଙ୍କୁ ଅଲରାଉଣ୍ଡର ଭାବରେ ଦଳରେ ସାମିଲ କରିଛନ୍ତି।

ସେହିପରି ଭାବରେ ସେ ସ୍ପିନ ଡିପାର୍ଟମେଣ୍ଟରେ କୁଳଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତାଙ୍କର ଏହି ଦଳରେ କେ.ଏଲ ରାହୁଲଙ୍କୁ ସ୍ଥାନ ମିଳିନଥିବା ବେଳେ ଉଭୟ ସଞ୍ଜୁ ସାମସନ୍ ଏବଂ ଋଷବ ପନ୍ତଙ୍କୁ ସୁଯୋଗ ମିଳିଛି। ସେହିପରି ଭାବରେ ସେ ପେସ୍ ବୋଲିଂ ପାଇଁ ଆଭେସ୍ ଖାଁ ଏବଂ ମୟଙ୍କ ଯାଦବଙ୍କୁ ମୌକା ଦେଇଛନ୍ତି।

ଟି-୨୦ ବିଶ୍ୱକପ ପାଇଁ ହରଭଜନଙ୍କ ୧୫ ଜଣିଆ ଦଳ:- ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ରିଙ୍କୁ ସିଂ, ସଞ୍ଜୁ ସାମସନ, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଆବେଶ ଖାନ, ଅର୍ଶଦୀପ ସିଂ, ମୟଙ୍କ ଯାଦବ।