ବିରାଟ, ରୋହିତ ଏବଂ ଜାଡେଜାଙ୍କ ପରେ ଏବେ ବୁମ୍ରାଙ୍କ ପାଳି! ଅବସରକୁ ନେଇ ଦେଲେ ବଡ଼ ସୂଚନା….

 

ଟି-୨୦ ବିଶ୍ୱକପ ଜିତିବା ପରେ ବିରାଟ କୋହଲି ଏହି ଫର୍ମାଟର କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ରୋହିତ ଶର୍ମା ଏବଂ ୨୪ ଘଣ୍ଟା ମଧ୍ୟରେ ରବିନ୍ଦ୍ର ଜାଡେଜା ମଧ୍ୟ ଟି-୨୦ ଫର୍ମାଟକୁ ବିଦାୟ ନେଇଛନ୍ତି। ସେବେଠାରୁ ଜସପ୍ରୀତ ବୁମରାଙ୍କ ବିଷୟରେ ମଧ୍ୟ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ତାଙ୍କ ଅବସର ସହ ଜଡିତ ପ୍ରଶ୍ନ ଏବଂ କଳ୍ପନାଜଳ୍ପନାକୁ ବୁମ୍ରା ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛନ୍ତି।

ଭାରତୀୟ ଦଳ ୨୯ ଜୁନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ ଜିତିଥିଲା। ବିଶ୍ୱ ଚାମ୍ପିୟନ ହେବା ପରେ ଭାରତୀୟ ଦଳ ଗୁରୁବାର ଘରକୁ ଫେରିଥିଲା।  ଟିମ୍ ଇଣ୍ଡିଆର ତାରକାମାନେ ଭାରତରେ ପହଞ୍ଚିବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ।  ଏହା ପରେ ଦଳ ମୁମ୍ବାଇରେ ବିଜୟ ପରେଡରେ ଭାଗ ନେଇଥିଲା। ନରିମାନ ପଏଣ୍ଟରୁ ଆରମ୍ଭ ହୋଇଥିବା ବିଜୟ ପରେଡ ୱାନଖେଡେ ଷ୍ଟାଡିୟମରେ ଅଟକିଥିଲା, ଯେଉଁଠାରେ ଦଳର ସମ୍ବର୍ଦ୍ଧନା ସମାରୋହ ପାଇଁ ପ୍ରସ୍ତୁତି ହୋଇଥିଲା।  ସେହି ସମାରୋହରେ ବୁମରା ଅବସର ନେବାର କଳ୍ପନା ଜଳ୍ପନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ।

 ଜସପ୍ରୀତ ବୁମ୍ରା ବିଜୟ ଉତ୍ସବରେ ତାଙ୍କ ଅବସର ବିଷୟରେ କହିଥିଲେ ଯେ,“ଏହା (ଅବସର) ବହୁତ ଦୂରରେ ଅଛି। ମୁଁ ବର୍ତ୍ତମାନ ଖେଳିବା ଆରମ୍ଭ କରିଛି  ଏସବୁ କଥା ବହୁ ଦୂରରେ ରହିଛି। ଜସ୍ସି ୱାନକେଡେ ଷ୍ଟାଡିୟମର ସ୍ମୃତି ବିଷୟରେ ମଧ୍ୟ ଉଲ୍ଲେଖ କରି କହିଥିଲେ ଯେ, “ଏହି ଗ୍ରାଉଣ୍ଡ ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ। ମୁଁ ପିଲାଦିନେ ଏଠାକୁ ଆସିଥିଲି। ଆଜି ମୁଁ ଯାହା ଦେଖିଲି, ମୁଁ ଏହା ପୂର୍ବରୁ କେବେ ଦେଖିନାହିଁ।

୩୦ ବର୍ଷ ବୟସ୍କ ବୁମ୍ରା ଟି-୨୦ ବିଶ୍ୱକପ ୨୦୨୪ ରେ ୧୫ ୱିକେଟ୍ ନେଇଥିଲେ।  ସେ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ଭାବରେ ମଧ୍ୟ ମନୋନୀତ ହୋଇଥିଲେ। ବିଶ୍ୱକପ ଜିତିବା ପରେ ସେ କହିଛନ୍ତି ଯେ, “ଟି-୨୦ ବିଶ୍ୱକପ ଜିତିବା ପରେ ପ୍ରତ୍ୟେକ ଖେଳାଳିଙ୍କ ଆଖିରେ ଖୁସିର ଲୁହ ଆସିଥିଲା।  ମୋ ପୁଅକୁ ଦେଖିବା ପରେ ମୁଁ ଭାବପ୍ରବଣ ହୋଇ ଯାଇଥିଲି। ସାଧାରଣତ ମୋ ସହିତ ଏହା ହୁଏ ନାହିଁ କିନ୍ତୁ ସେହି ସମୟରେ ମୋ ପାଖରେ କହିବାକୁ ଶବ୍ଦ ନଥିଲା ବୋଲି କହିଛନ୍ତି ବୁମ୍ରା।