ଜସପ୍ରୀତ ବୁମ୍ରାଙ୍କ ଠାରୁ ଧରି ଉମରନ୍ ମଲିକ୍ ପର୍ଯ୍ୟନ୍ତ, ଜାଣନ୍ତୁ ଭାରତର ଦ୍ରୁତତମ ବୋଲର ତାଲିକାରେ କେଉଁମାନେ ଅଛନ୍ତି

 

କ୍ରିକେଟ ଖବର: ସନରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର ଉମ୍ରାନ ମଲିକ ତାଙ୍କର ଦ୍ରୁତ ବୋଲିଂରେ ରିଦ୍ଧିମାନ ସାହାଙ୍କୁ ବୋଲଡ କରିଥିଲେ। ଯାହାର ବେଗ ଘଣ୍ଟାପ୍ରତି 152.8 କିଲୋମିଟର ଥିଲା। ଗତ ବୁଧବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ଗୁଜୁରାଟ ଟାଇଟାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଏହା ସବୁଠାରୁ ଦ୍ରୁତତମ ବଲ୍ ଥିଲା। ଅନ୍ୟପଟେ, ଯଦି ଆମେ IPL 2022 ବିଷୟରେ କଥା ହେବା, ତେବେ ଏହା ଚତୁର୍ଥ ଦ୍ରୁତତମ ବଲ୍ ଥିଲା। ଯଦିଓ 15 ତମ ସିଜନରେ ଦ୍ରୁତତମ ବଲ୍ ଫିଙ୍ଗିବାର ରେକର୍ଡ ଲକି ଫର୍ଗୁସନଙ୍କ ନାମରେ ଅଛି। ସେ ଏହି ସିଜନରେ ଘଣ୍ଟାପ୍ରତି 153.9 କିଲୋମିଟର ବେଗରେ ବୋଲିଂ କରିଥିଲେ। ତେବେ ଦ୍ରୁତ ବୋଲିଂ ମାମଲାରେ ଉମ୍ରାନ ମଲିକ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ତେବେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ କଣ ଉମ୍ରାନ ପ୍ରଥମ ବୋଲର ଯିଏକି ପ୍ରଥମ ଭାରତୀୟ ଖେଳାଳି ଭାବରେ ସବୁଠୁ ଦ୍ରୁତତମ ବୋଲିଂ କରିଛନ୍ତି। ତେବେ ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ଭାରତୀୟ ବୋଲରଙ୍କ ବିଷୟରେ କହିବୁ, ଯେଉଁମାନେ ଆଇପିଏଲ ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ବି 150 ସ୍ପୀଡ କିମ୍ବା ତାଠାରୁ ଅଧିକ ସ୍ପିଡ୍ ବୋଲିଂ କରିଛନ୍ତି। 

ଭାରତର କ୍ରିକେଟ୍ ଇତିହାସକୁ ଦେଖିଲେ ଜଣାପଡୁଛି ଯେ, ଉମ୍ରାନ ମଲିକଙ୍କ ପୂର୍ବରୁ ଅନେକ ଭାରତୀୟ ବୋଲର ଅଛନ୍ତି ଯେଉଁମାନେ ଘଣ୍ଟାପ୍ରତି 150 କିଲୋମିଟର ବେଗରେ କିମ୍ବା ତାଠାରୁ ଅଧିକ ବେଗରେ ବୋଲିଂ କରିଛନ୍ତି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଉମ୍ରାନ ବର୍ତ୍ତମାନ ଭାରତର ଦ୍ରୁତତମ ବୋଲର ଅଟନ୍ତି। ସେ ଗତ ବର୍ଷ ମଧ୍ୟ ଘଣ୍ଟାପ୍ରତି 153 କିଲୋମିଟର ବେଗରେ RCB ବିପକ୍ଷରେ ଗୋଟିଏ ବଲ୍ ବୋଲିଂ କରିଥିଲେ। କିନ୍ତୁ ଚଳିତ ବର୍ଷ ସେ ନିଜର ବେଗକୁ ଆହୁରି ବୃଦ୍ଧି କରିଛନ୍ତି।  IPL 2022 ରେ ତାଙ୍କର ଦ୍ରୁତତମ ବଲର ବେଗ ଘଣ୍ଟାପ୍ରତି 153.30 କିଲୋମିଟର ହୋଇଛି।

ଭାରତ ପକ୍ଷରୁ ଦ୍ରୁତତମ ବୋଲିଂର ରେକର୍ଡ ରହିଛି ପୂର୍ବତନ ଭାରତର ଦ୍ରୁତ ବୋଲର ଜାଭାଗଲ ଶ୍ରୀନାଥଙ୍କ ନାମରେ। ତାଙ୍କ କ୍ରିକେଟ୍ କ୍ୟାରିଅର୍ ସମୟରେ ସେ ଘଣ୍ଟା ପ୍ରତି 154.5 କିଲୋମିଟର ବେଗରେ ବୋଲିଂ କରିଥିଲେ। ତେବେ ଏହି ରେକର୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ରେକର୍ଡ ହୋଇ ରହିଛି। କିନ୍ତୁ ଭବିଷ୍ୟତରେ ଉମ୍ରାନ ମଲିକ ଏହି ରେକର୍ଡ ଭାଂଗିବେ ବୋଲି ଚର୍ଚ୍ଚା ହେଉଛି। 

ଜାଭାଗଲ ଶ୍ରୀନଥଙ୍କ ବ୍ୟତୀତ, ଆଇପିଏଲ୍ ଏବଂ ଆନ୍ତର୍ଜାତୀୟ କ୍ରିକେଟ୍ ରେ 150 କିମ୍ବା ଅଧିକ ସ୍ପିଡ୍ ବୋଲିଂ କରିଥିବା ଭାରତୀୟ ବୋଲରମାନେ ହେଉଛନ୍ତି ଇରଫାନ୍ ପଠାନ୍ 153.7, ଉମରନ୍ ମଲିକ୍ 153.30, ଜସପ୍ରୀତ ବୁମ୍ରା 153, ଇଶାନ୍ତ ଶର୍ମା 152.6, ଭରୁଣ ଆରୋନ 152.5 ଏବଂ ଉମେଶ ଯାଦବ 152.2 କିମି।