ଋଷଭ ପନ୍ତ ଆଉଟ ଥିଲେ ନା ନଟଆଉଟ? ଏବି ଡିଭିଲିୟର୍ସ କଲେ ବଡ଼ ଖୁଲାସା

 

ଭାରତୀୟ ଟିମ ତୃତୀୟ ଟେଷ୍ଟରେ ନ୍ୟୁଜିଲ୍ୟାଣ୍ଡ ଠାରୁ ୨୫ ରନରେ ହାରି ଯାଇଛି ସତ। କିନ୍ତୁ ଭାରତ ପାଇଁ ୱିକେଟ କିପର ଋଷଭ ପନ୍ତ ଶେଷ ଯାଏ ଲଢ଼େଇ କରିଥିଲେ। ଏକଦା ୨୯ରେ ଭାରତ ୫ ୱିକେଟ ହରାଇଥିବା ବେଳେ ପନ୍ତ ମ୍ୟାଚ୍‌ର ମୋଡ ବଦଳାଇ ବିଜୟ ଆଡ଼କୁ ନେଇ ଯାଇଥିଲେ। ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କ ଛାତି ମଧ୍ୟ ଧଡ଼ଧଡ଼ ହୋଇ ଯାଇଥିଲେ। ସେ ୫୭ ବଲରେ ୯ ଚୌକା ଓ ଗୋଟିଏ ଛକା ବଳରେ ୬୪ ରନର ଇନିଂସ ଖେଳିଛନ୍ତି।

ସେ ଦଳକୁ ବିଜୟ ଆଡ଼କୁ ନେଉଥିବା ବେଳେ ଅତ୍ୟନ୍ତ ବିବାଦୀୟ ଢଙ୍ଗରେ ଏଜାଜ ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ତେବେ ପନ୍ତ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଆଦୌ ଏକମତ ହୋଇ ନଥିଲେ। ତାଙ୍କୁ ଅମ୍ପାୟାର କ୍ୟାଚ୍‌ ଆଉଟ ଘୋଷଣା କରିଥିଲେ ହେଁ ପନ୍ତ ଅତ୍ୟନ୍ତ ନିରାଶ ହୋଇ ପଡ଼ିଆ ଚାଲିଥିଲେ।

ପନ୍ତଙ୍କ ଆଉଟକୁ ନେଇ ସୋଶାଲ ମିଡିଆରେ ବିତର୍କ ଆରମ୍ଭ ହୋଇଛି:

ଭାରତର ୨୨ତମ ଓଭରରେ ପୂରା ଘଟଣା ଘଟିଥିଲା। ପନ୍ତ ବାମହାତୀ ସ୍ପିନର ଏଜାଜ ପଟେଲଙ୍କ ଗୋଟି ବଲକୁ ଆଗକୁ ଆସି ଡିଫେଣ୍ଡ କରିଥିଲେ। ବଲ୍‌ଟି ତାଙ୍କ ପ୍ୟାଡରେ ବାଜି ସିଧା ଉପରକୁ ଉଠିଥିଲା ଓ ୱିକେଟ କିପର ଟମ ବ୍ଲଣ୍ଡେଲଙ୍କ ଗ୍ଲୋବସରେ ପଡ଼ିଥିଲା। ନ୍ୟୁଜିଲ୍ୟାଣ୍ଡ ଖେଳାଳି ଅପିଲ କରିଥିଲେ ହେଁ ଅନଫିଲ୍ଡ ଅମ୍ପାୟାର ଆଉଟ ଦେଇ ନଥିଲେ। ଶେଷରେ ନ୍ୟୁଜିଲ୍ୟାଣ୍ଡ ନିଜ ପାଖରେ ବଞ୍ଚିଥିବା ଏକମାତ୍ର ରିଭ୍ୟୁକୁ ବ୍ୟବହାର କରିଥିଲା।

ରିଭ୍ୟୁ ବେଳେ ସ୍ନିକୋ ମିଟରରୁ ଜଣାପଡ଼ିଥିଲା ଯେ ବଲଟି ପ୍ୟାଡ ନିକଟରେ ପହଞ୍ଚିବା ବେଳେ କିଛି ସ୍ପାଇକ ଦେଖାଯାଉଛି। ଏହି ସମୟରେ ତାଙ୍କ ବ୍ୟାଟ ମଧ୍ୟ ପ୍ୟାଡ ନିକଟରେ ଥିଲା। ବଲ ଅତିକ୍ରମ କରିବା ବେଳେ ପନ୍ତଙ୍କ ବ୍ୟାଟ ମଧ୍ୟ ସମାନ ସମୟରେ ପ୍ୟାଡରେ ମାଡ଼ ହୋଇଥିଲା।

ତେଣୁ ସ୍ନିକୋରେ ସ୍ପାଇକ ଦେଖାଯାଉଛି ବୋଲି ପନ୍ତ ଅନଫିଲ୍ଡ ଅମ୍ପାୟାରଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ହେଲେ ତୃତୀୟ ଅମ୍ପାୟାର ଅନୁଭବ କରିଥିଲେ ଯେ ସ୍ପାଇକ ବ୍ୟାଟରେ ବଲ ମାଡ଼ ହେବା ଯୋଗୁ ହୋଇଛି। ତେଣୁ ସେ ପନ୍ତଙ୍କୁ ଆଉଟ ଘୋଷଣା କରିଥିଲେ।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଖୋଲାଖୋଲି ଭାବେ ପନ୍ତଙ୍କୁ ସମର୍ଥନ କରିବା ସହ ଡିଆରଏସ୍‌ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। କାହିଁକି ହଟସ୍ପଟକୁ ଡିଆରଏସ୍‌ ବେଳେ ବ୍ୟବହାର କରାଯାଉ ନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ବିବାଦୀୟ। ପୁଣିଥରେ ଛୋଟ ଗ୍ରେ ଏରିୟା। ପନ୍ତଙ୍କ ବ୍ୟାଟ ବାଜି ଥିଲା କି ନାହିଁ? ସମସ୍ୟା ହେଲା, ଯେତେବେଳେ ବଲ୍‌ ବ୍ୟାଟକୁ ପାସ୍‌ କରୁଛି ସମାନ ସମୟରେ ଜଣେ ବ୍ୟାଟରଙ୍କ ବ୍ୟାଟ ପ୍ୟାଡରେ ମାଡ଼ ହେଉଛି। ସ୍ୱାଭାବିକ ଭାବେ ସ୍ନିକୋ ମିଟର ଶବ୍ଦକୁ କ୍ୟାପଚର କରୁଛି। କିନ୍ତୁ ଆମେ କେତେ ନିଶ୍ଚିତ ଯେ ସେ ବଲକୁ ହିଁ ହିଟ କରିଛନ୍ତି? ମୁଁ ସବୁବେଳେ ଏହାକୁ ନେଇ ଚିନ୍ତିତ। ଗୋଟିଏ ବଡ଼ ଟେଷ୍ଟ ମ୍ୟାଚ୍‌ରେ ଏପରି ନିଷ୍ପତ୍ତି ବେଶ ପ୍ରଭାବ ପକାଇ ଥାଏ। ହଟସ୍ପଟ କୁଆଡ଼େ ଗଲା?”