ଭାରତର ସଫଳତାକୁ ସହିପାରିଲାନି ପାକିସ୍ତାନ, କହିଲେ,"ଟସ୍ ସମୟରେ ରୋହିତ କରୁଛନ୍ତି ବେଇମାନି ଏବଂ…."
ଚଳିତ କ୍ରିକେଟ ବିଶ୍ୱକପ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପହଞ୍ଚି ଯାଇଛି ଭାରତ। ଉଭୟ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ବିଭାଗରେ ଚମତ୍କାର ପ୍ରଦର୍ଶନ କରିବା ସହିତ ଭାରତ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇପାରିଛି। ତେବେ, ଭାରତର ଏହି ସଫଳତା ବୋଧେ କିଛି ଲୋକଙ୍କ ଦେହରେ ଯାଉନାହିଁ।
ଆଜ୍ଞା ହଁ, ଆଉ କେହି ନୁହେଁ ବରଂ ଭାରତର ସଫଳତା କିଛି ପୂର୍ବତନ ପାକିସ୍ତାନୀ କ୍ରିକେଟରଙ୍କ ଦେହରେ ଯାଉନାହିଁ। ଏହି କିଛି ବ୍ୟକ୍ତିଙ୍କର ହାସ୍ୟସ୍ପଦ ବୟାନରୁ ଏହା ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି। ପ୍ରଥମେ ହସନ ରାଜା ଏବଂ ପରେ ସିକନ୍ଦର ବଖ୍ତଙ୍କର ବିବାଦୀୟ ବୟାନ ସାମ୍ନାକୁ ଆସିଛି।
ହସନ ରାଜା ଭାରତୀୟ ଦଳ ବ୍ୟବହାର କରୁଥିବା ବଲ୍ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏବେ ସିକନ୍ଦର ବଖ୍ତ ଟସ୍ ସମୟରେ ଭାରତ ଷଡଯନ୍ତ୍ର କରୁଥିବା କହିଛନ୍ତି। ତାଙ୍କ କହିବା ଅନୁଯାଇ ଟସ୍ ସମୟରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କଏନଟିକୁ ଅଧିକ ଦୂରକୁ ଫିଙ୍ଗି ଦେଉଛନ୍ତି।
ଯାହାଫଳରେ ବିପକ୍ଷ ଅଧିନାୟକ ଟସର ଫଳାଫଳ କଣ ତାହା ଦେଖି ପାରୁନାହାନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ ସମୟରେ ରୋହିତ ଏଭଳି କରିଥିବା ବେଳେ ସେମିଫାଇନାଲ ମ୍ୟାଚରେ ମଧ୍ୟ ସେ ଏଭଳି କରିଥିବା ଅଭିଯୋଗ ଆସିଛି। ତେବେ, ଏଭଳି ଅଭିଯୋଗ ଆଣିଥିବା ହେତୁ ସିକନ୍ଦର ବଖ୍ତଙ୍କୁ ସମାଲୋଚନା କରିଛନ୍ତି ପାକିସ୍ତାନ ସ୍ୱିଙ୍ଗ କିଙ୍ଗ ୱାସିମ୍ ଆକ୍ରମ୍।
ସିକନ୍ଦର ଯେଉଁଭଳି ଅଭିଯୋଗ ଆଣିଛନ୍ତି ଏହା ସମ୍ପୂର୍ଣ୍ଣ ଭାବରେ ହାସ୍ୟସ୍ପଦ ଏବଂ ଲଜ୍ଜାଜନକ ବୋଲି ସେ କହିଛନ୍ତି। ସେହିଭଳି ଭାବରେ ପୂର୍ବତନ କ୍ରିକେଟର ସୋଏବ ମଲିକ ଏବଂ ମୋଇନ ଖାଁ ମଧ୍ୟ ଏଥିନେଇ ସିକନ୍ଦରଙ୍କୁ ସମାଲୋଚନା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସିକନ୍ଦର ସେମିଫାଇନାଲ ମ୍ୟାଚରେ ବ୍ୟବହୃତ ହୋଇଥିବା ପିଚ୍ ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି।