IND vs ENG: ଇଂଲଣ୍ଡ ବିପକ୍ଷରେ ଜସୱାଲଙ୍କ ଐତିହାସିକ ରେକର୍ଡ, ବିରାଟଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ହେଲେ

ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜରେ ଯୁବ ଭାରତୀୟ ଓପନର୍ ଯଶସ୍ୱୀ ଜୟସୱାଲଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ଏହି ସିରିଜରେ ଯଶସ୍ୱୀ ବହୁତ ଭଲ ବ୍ୟାଟିଂ କରୁଛନ୍ତି ଏବଂ ଅନେକ ରେକର୍ଡ ଭାଙ୍ଗିଛନ୍ତି। ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ମଧ୍ୟ ଯଶସ୍ୱୀ ଏକ ସ୍ୱଳ୍ପ ଇନିଂସ ଖେଳି ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡର ସମକକ୍ଷ ହୋଇଛନ୍ତି।
ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ୪୪ ବଲରେ ୩୭ ରନ୍ ସ୍କୋର କରିବା ପରେ ଯଶସ୍ୱୀ ଜୟସୱାଲ ଆଉଟ୍ ହୋଇ ଯାଇଥିଲେ। ଏହି ଇନିଂସ ସମୟରେ ସେ ୫ଟି ଚୌକା ମାରିଥିଲେ। ଏହା ସହିତ ଯଶସ୍ୱୀ ଏହି ସିରିଜରେ ୬୫୫ ରନ ସଂଗ୍ରହ କରିଥିଲେ। ୬୫୫ ରନ୍ ସହ ସେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସ୍କୋର କରିଥିବା ଭାରତୀୟ ତାଲିକାରେ ବିରାଟ କୋହଲିଙ୍କ ସହ ମିଳିତ ୧ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇ ପାରିଛନ୍ତି।
୨୦୧୬ ରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ଟେଷ୍ଟ ସିରିଜରେ ବିରାଟ କୋହଲି ୬୫୫ ରନ୍ ସଂଗ୍ରହ କରିଥିଲେ। ତେବେ ବିରାଟଙ୍କୁ ଅତିକ୍ରମ କରିବାକୁ ଜୟସ୍ୱାଲଙ୍କ ପାଖରେ ଗୋଟିଏ ମ୍ୟାଚ୍ ବାକି ଅଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ଭାରତୀୟମାନଙ୍କ ତାଲିକା:-
ବିରାଟ କୋହଲି - ୬୫୫ ରନ୍, ୨୦୧୬।
ଯଶସ୍ୱୀ ଜୟସୱାଲ- ୬୫୫ ରନ୍, ୨୦୨୪।
ରାହୁଲ ଦ୍ରାବିଡ - ୬୦୨ ରନ୍, ୨୦୦୨।
ବିରାଟ କୋହଲି - ୫୯୩ ରନ୍, ୨୦୧୮।
ବିଜୟ ମଞ୍ଜରେକର - ୫୮୬ ରନ୍, ୨୯୬୧।
ଯଶସ୍ୱୀ ଜୟସୱାଲ ଏହି ସିରିଜରେ ଏପର୍ଯ୍ୟନ୍ତ ୮ ଟି ଇନିଂସ ଖେଳି ୨ଟି ଅର୍ଦ୍ଧଶତକ ଏବଂ ଦୁଇଟି ଦ୍ବିଶତକ ହାସଲ କରିଛନ୍ତି। ବିଶାଖାପାଟନମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ସେ ୨୦୯ ରନ ସ୍କୋର କରିଥିଲେ। ଏଥି ସହିତ ସେ ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୨୧୪ ରନ୍ ସ୍କୋର କରିଥିଲେ। ରାଜକୋଟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଜୟସୱାଲ ୧୪ ଚୌକା ଓ ୧୨ଟି ଛକା ମାରିଥିଲେ। ଏଥିସହିତ ସେ ଏକ ଟେଷ୍ଟ ମ୍ୟାଚର ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ୱ ରେକର୍ଡ ସହ ସମାନ ହୋଇଛନ୍ତି। ଏହାପୂର୍ବରୁ ୧୯୯୬ ରେ ୱାସିମ ଆକ୍ରାମ ଜିମ୍ବାୱେ ବିପକ୍ଷ ଟେଷ୍ଟ ଇନିଂସରେ ୧୨ଟି ଛକା ମାରିଥିଲେ।