ପାକିସ୍ତାନୀ ଖେଳାଳିଙ୍କୁ ଦଳରେ ସାମିଲ କରି ଅଡୁଆରେ ଇଂଲଣ୍ଡ, ଭାରତର ଏହି ନିଷ୍ପତ୍ତି ଯୋଗୁଁ ବଢ଼ିଲା ସମସ୍ୟା

 

ଭାରତ ଏବଂ ଇଂଲଣ୍ଡ ଦଳ ମଧ୍ୟରେ ଜାନୁଆରୀ 25 ରୁ ଆରମ୍ଭ ହେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ । ଇଂଲଣ୍ଡ ଦଳ ରବିବାର ଦିନ ଭାରତ ପହଞ୍ଚିଛି । ମାତ୍ର ଇଂଲଣ୍ଡ ଅଫ ସ୍ପିନର ଶୋଏବ ବଶିର ଦଳରେ ଯୋଗ ଦେଇ ପାରି ନାହାନ୍ତି । ସୂଚନା ଅନୁଯାୟୀ ଶୋଏବ ଇଂଲଣ୍ଡ ଟେଷ୍ଟ ଦଳର ସଦସ୍ୟ ଅଟନ୍ତି ।  ଏ ପର୍ଯ୍ୟନ୍ତ ତାଙ୍କୁ ଭାରତର ଭିସା ମିଳି ନ ଥିବାରୁ ଏମିତି ସମସ୍ୟା ଉପୁଜିଛି।

ବଶିର କାଉଣ୍ଟି କ୍ରିକେଟ୍ କ୍ଲବ ସମରସେଟ୍ ପାଇଁ ଖେଳନ୍ତି । ସେ ଏ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମୁକାବିଲା ଖେଳି ନାହାନ୍ତି। ଇଂଲଣ୍ଡରେ ତାଙ୍କର ଜନ୍ମ ହୋଇଥିଲା। ମାତ୍ର ତାଙ୍କ ବାପା-ମାଆ ପାକିସ୍ତାନର ମୂଳ ନିବାସୀ ଅଟନ୍ତି। ବର୍ତ୍ତମାନ ଭିସା ନ ମିଳିବା କାରଣରୁ ବଶିର ୟୁଏଇରେ ଅଟକିଛନ୍ତି ।

ଇଂଲଣ୍ଡ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି, ଆଶା କରୁଛୁ ବଶିର ଆସନ୍ତାକାଲି ଦଳରେ ଯୋଗ ଦେବେ। ତାଙ୍କର ଭିସା ସଂପର୍କିତ କିଛି ସମସ୍ୟା ରହିଛି। ଆମକୁ ବିସିସିଆଇ ଓ ଭାରତ ସରକାରଙ୍କଠୁ ସାହାଯ୍ୟର ପୁରା ଭରସା ରହିଛି । ଉଲ୍ଲେଖନୀୟ ଇଂଲଣ୍ଡ ଦଳ ହାଇଦ୍ରାବାଦ ପହଞ୍ଚିବା ପୂର୍ବରୁ ଆବୁଧାବିରେ ପ୍ରାକ୍ଟିସ ନେଟ ଲଗାଇଥିଲା।

ଇଂଲଣ୍ଡର କୋଚ୍ କହିଛନ୍ତି, କିଛି କାମ ସମୟ ଲାଗିଥାଏ। ଏହା ଏକ ପ୍ରକ୍ରିୟା, ଯେଉଁଥିରେ ଆମକୁ ଗତି କରିବାକୁ ପଡିଥାଏ। ଭରସା ରହିଛି ଭିସା ସଂପର୍କିତ ସମସ୍ୟା ଶୀଘ୍ର ଦୂର ହେବ। ଆଶା କରୁଛୁ ଆସନ୍ତାକାଲି ସୁଦ୍ଧା ବଶିଙ୍କୁ ଭିସା ମିଳିଯିବ ଏବଂ ସେ ଦଳରେ ଯୋଗ ଦେବେ।

ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ, ଯାହା ଜାନୁଆରୀ 25 ରୁ ଆରମ୍ଭ ହେବ। ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ 7 ରୁ ମାର୍ଚ୍ଚ 11 ପର୍ଯ୍ୟନ୍ତ ଖେଳାଯିବ ।