IND Vs SA 3rd T20: ସିରିଜ ଜିତିବାକୁ ଭାରତୀୟ ଦଳରେ ସୂର୍ଯ୍ୟ କରିପାରନ୍ତି ବଡ଼ ପରିବର୍ତନ

 

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ 3rd T20 ମ୍ୟାଚ ଆସନ୍ତାକାଲି ଖେଳାଯିବ । ଯାହାକି ଦକ୍ଷିଣ ଆଫ୍ରିକାର ସେଞ୍ଚୁରିୟନ ସୁପରସ୍ପୋର୍ଟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଟି20 ସିରିଜ୍‌ ଏବେ 1-1 ରେ ବରାବର ଥିବା ବେଳେ ଟିମ୍ ଇଣ୍ଡିଆ ସିରିଜ୍‌ ଜିତିବାକୁ ପ୍ରୟାସ କରିବ । ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଦ୍ଵିତୀୟ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା । ଅତି ସହଜ ବିଜୟ ହାସଲ କରିଥିଲା ଘରୋଇ ସାଉଥ ଆଫ୍ରିକା । ଏବେ ୩ୟ ମ୍ୟାଚ୍‌ ଜିତି ଦମଦାର କମବ୍ୟାକ୍ କରିବା ଲକ୍ଷ୍ୟରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ।

ନିକଟରେ ନ୍ୟୁଜିଲାଣ୍ଡ ଠାରୁ ଶୋଚନୀୟ ଭାବେ ଟେଷ୍ଟ ସିରିଜ୍‌ ହାରିଥିବା ଭାରତୀୟ ଦଳ ପାଇଁ ଗୋଟିଏ ସିରିଜ୍‌ ଜିତିବା ନିହାତି ଆବଶ୍ୟକତା ହୋଇପଡିଥିବା ବେଳେ ଆସନ୍ତାକାଲିର ମ୍ୟାଚ୍‌ ଜିତିବା ନିହାତି ଆବଶ୍ୟକ । ଆଉ 4 ମ୍ୟାଚ୍‌ ବିଶିଷ୍ଟ ଟି20 ସିରିଜ ଜିତିବାକୁ ହେଲେ ଶେଷ ଦୁଇଟି ଯାକ ମ୍ୟାଚ୍‌ ଜିତିବାକୁ ପଡିବ । ତେବେ ଦ୍ଵିତୀୟ ମ୍ୟାଚ୍‌ରେ କମ୍ ସ୍କୋର କରିଥିବା ଭାରତୀୟ ଦଳ ତୃତୀୟ ମ୍ୟାଚ୍‌ରେ କୌଣସି ଅଦଳବଦଳ କରିବାର ସମ୍ଭାବନା ଅଛି କି? ଜାଣନ୍ତୁ କେଉଁ 11 ଜଣ ଖେଳିବେ ଓ କିଏ କିଏ ବାହାରେ ବସିବେ ।

ଓପନର ଅଭିଷେକ ଶର୍ମା ବାରମ୍ବାର ଫେଲ୍‌ ମାରୁଛନ୍ତି । ତଥାପି ସଞ୍ଜୁ ସାମସନଙ୍କ ସହିତ ତାଙ୍କୁ ଓପିନଂ କରିବାକୁ ସୁଯୋଗ ଦିଆଯିବାର ସମ୍ଭାବନା ଅଧିକ । ସେହିଭଳି ପ୍ରଥମ ଦୁଇଟି ମ୍ୟାଚ୍‌ରେ ଫ୍ଲପ୍ ହୋଇଥିବା ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩ ନଂରେ ବ୍ୟାଟିଂ କରିବେ । ତିଲକ ବର୍ମା 4ନଂରେ ବ୍ୟାଟିଂ କରୁଥିବା ନଜର ଆସିବେ । ଦ୍ଵିତୀୟ ମ୍ୟାଚ୍‌ରେ ସମ୍ମାନ ରକ୍ଷା କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା 5 ନଂରେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ । ସେହିଭଳି ହାର୍ଡ ହିଟର ରିଙ୍କୁ ସିଂହ ଯିଏକି ଏଯାଏ ସିରିଜରେ କମାଲ ଦେଖାଇ ପାରିନାହାନ୍ତି ସେ 6 ନଂରେ ବ୍ୟାଟିଂ ଆସିବେ ।

ସେହିଭଳି ବୋଲିଂ ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ ନଂ 7ରେ ବ୍ୟାଟିଂ କରିବାକୁ ଆସିପାରନ୍ତି । ମୋଟ 3 ଜଣ ଅଲରାଉଣ୍ଡରଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ବୋଲିଂ ବାହିନୀରେ ସାମାନ୍ୟ ଅଦଳବଦଳ ଦେଖିବାକୁ ମିଳିପାରେ । ଅବେସ ଖାନଙ୍କ ସ୍ଥାନରେ ୟସ୍ ଦୟାଲଙ୍କୁ ମିଳିପାରେ ସୁଯୋଗ । ପ୍ଲେଇଂ ଇଲେଭେନରେ ଗୋଟିଏ ହିଁ ଅଦଳବଦଳ କରିପାରନ୍ତି ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ।

ଭାରତର ସମ୍ଭାବ୍ୟ ଏକାଦଶ:

ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ରବି ବିଷ୍ଣୋଇ, ବରୁଣ ଚକ୍ରବର୍ତ୍ତୀ ଏବଂ ୟସ୍ ଦୟାଲ