ଭାରତକୁ ବିଶ୍ୱକପ ଜିତାଇପାରେ ଏହି ଖେଳାଳି! ଦଳରେ ସାମିଲ କରିବାକୁ କହିଲେ ହରଭଜନ….

 

ଆଇପିଏଲ୍ ୨୦୨୪ ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଥିବା ଅଭିଷେକ ଶର୍ମା ଚମତ୍କାର ବ୍ୟାଟିଂ କରିଛନ୍ତି। ତାଙ୍କର ବିସ୍ଫୋରକ ବ୍ୟାଟିଂ ସହିତ ସେ କେବଳ ପ୍ରଶଂସକ ନୁହଁନ୍ତି ବରଂ ଖେଳାଳି ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଯାହା ପରେ ଅଭିଷେକଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରିବାର ଚର୍ଚ୍ଚା ବୃଦ୍ଧି ପାଇଛି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ଅଭିଷେକ ଶର୍ମାଙ୍କୁ ଟି-୨୦ ବିଶ୍ୱକପ ୨୦୨୪ ରେ ଅନ୍ତର୍ଭୁକ୍ତ କରିବା ନେଇ ଚୟନକର୍ତ୍ତାଙ୍କୁ ବିଶେଷ ପରାମର୍ଶ ଦେଇଛନ୍ତି।

ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ SRH ଓପନର୍ ଅଭିଷେକ ଶର୍ମାଙ୍କ ଚମତ୍କାରିତା ଦେଖିବାକୁ ମିଳିଥିଲା। ତାଙ୍କର ଦୁର୍ଦ୍ଧଶ ବ୍ୟାଟିଂ ଆଗରେ ଲକ୍ଷ୍ନୌର ବୋଲରମାନେ ହତଉତ୍ସାହିତ ଜଣାପଡୁଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ହାଇଦ୍ରାବାଦକୁ ଜିତିବା ପାଇଁ ଲକ୍ଷ୍ନୌ ୧୬୬ ରନ୍ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଯାହା ହାଇଦ୍ରାବାଦ ମାତ୍ର ୯.୪ ଓଭରରେ ହାସଲ କରି ନେଇଥିଲା। ଯେଉଁଥିରେ ଅଭିଷେକ ୨୮ ବଲରେ ୭୫ ରନର ବଡ଼ ଇନିଂସ ଖେଳିଥିଲେ। ତାଙ୍କ ଇନିଂସରେ ୮ ଚୌକା ଓ ୬ ଛକା ମଧ୍ୟ ଦେଖିବାକୁ ମିଳିଥିଲା।

ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଯାଉଛି।  ଏହା ଆରମ୍ଭ ହେବାକୁ ୨୦ ଦିନରୁ କମ୍ ସମୟ ବାକି ଅଛି। ଭାରତୀୟ ଦଳ ଘୋଷଣା କରାଯାଇ ସାରିଛି। ଯଦି ଚୟନକର୍ତ୍ତାମାନେ ଭାରତୀୟ ଦଳରେ ପରିବର୍ତ୍ତନ ଆଣିବାକୁ ଚାହାଁନ୍ତି, ତେବେ ଆଇସିସି ନିର୍ଦ୍ଦେଶାବଳୀ ଅନୁଯାୟୀ ମେ ୨୫ ପର୍ଯ୍ୟନ୍ତ ସେମାନେ ପରିବର୍ତ୍ତନ କରାଯାଇପାରିବେ। ଏହାପୂର୍ବରୁ ପୂର୍ବତନ ଭାରତୀୟ ଖେଳାଳି ହରଭଜନ ସିଂ ଆଇପିଏଲରେ ଦ୍ରୁତ ବ୍ୟାଟିଂ କରୁଥିବା ଅଭିଷେକ ଶର୍ମାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରିବାକୁ ଦାବି କରିଛନ୍ତି। 

X ରେ ପୋଷ୍ଟ କରି ସେ ଲେଖିଛନ୍ତି ଯେ,“ହାଇଦ୍ରାବାଦରେ କ’ଣ ହେଲା?  ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମା ଛକା ଓ ଚୌକା ମାରିଥିଲେ ଯେପରି ସେମାନେ ସିଙ୍ଗଲ୍ ନେଉଛନ୍ତି। ୯.୪ ଓଭରରେ ୧୬୫ ରନ୍ ହାସଲ କରାଯାଇଥିଲା। କଣ ଭାରତର ବେଞ୍ଚଷ୍ଟ୍ରେନ୍ଥ ମଜବୁତ କରିବା ପାଇଁ ଅଭିଷେକ ଶର୍ମାଙ୍କୁ ଟିମ୍ ଇଣ୍ଡିଆରେ ଅନ୍ତର୍ଭୁକ୍ତ କରାଯାଇପାରିବ ନାହିଁ?”। ଅବଶ୍ୟ ଏହାପରେ ସୋସିଆଲ ମିଡିଆରେ କିଛି ପ୍ରଶଂସକ ହରଭଜନ ସିଂଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା।

ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ଅନେକ ତାରକା ଖେଳାଳି ଟିମ୍ ଇଣ୍ଡିଆରେ ପ୍ରବେଶ କରିଛନ୍ତି। ରିଙ୍କୁ ସିଂ, ତିଲକ ବର୍ମା ଏବଂ ଉମ୍ରାନ ମଲିକଙ୍କ ଭଳି ଖେଳାଳି ମାନଙ୍କର ଏକ ଲମ୍ବା ତାଲିକା ରହିଛି। ବର୍ତ୍ତମାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମାଙ୍କ ନାମ ଏହି ତାଲିକାରେ ଯୋଡିହେବ। ଯୁବ ବାମହାତୀ ବ୍ୟାଟ୍ସମ୍ୟାନ୍ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳ ପାଇଁ ନିଜର ଦାବି ଉପସ୍ଥାପନ କରିଛନ୍ତି। ଯିଏ ଶୀଘ୍ର ଟିମ୍ ଇଣ୍ଡିଆରେ ଡେବ୍ୟୁ କରୁଥିବା ଦେଖିବାକୁ ମିଳିପାରିବ।