T20 WC 2022: ବାଂଲାଦେଶ ବିପକ୍ଷରେ ହାରୁଥିବା ମ୍ୟାଚ କୁ ଭାରତ ଜିତିଲା କେମିତି ? କଣ ଥିଲା ମ୍ୟାଚ ର ଟର୍ଣ୍ଣିଙ୍ଗ ପଏଣ୍ଟ ?

 

କ୍ରିକେଟ ଖବର : ବୁଧବାର ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଏକ ଦମଦାର ମ୍ୟାଚ ଦେଖିବାକୁ ମିଳିଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ 20 ଓଭରରେ 6 ୱିକେଟ୍ ହରାଇ 184 ରନ୍ ସଂଗ୍ରହ କରି ବାଂଲାଦେଶକୁ 185 ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ବାଂଲାଦେଶୀ ଓପନର୍ ଲିଟନ୍ ଦାସ ତାଙ୍କ ଦ୍ରୁତ ବ୍ୟାଟିଂ ସହ ଟିମ୍ ଇଣ୍ଡିଆର ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରିଥିଲେ। କିନ୍ତୁ ପରେ ବର୍ଷା ହେତୁ ମ୍ୟାଚ୍ 16 ଓଭରକୁ କମାଯାଇଥିଲା। ଆଉ ସେଠୁ ଟିମ୍ ଇଣ୍ଡିଆ ଆଡ଼କୁ ମ୍ୟାଚର ଗତିପଥ ବଦଳିଗଲା। 

ବର୍ଷା ହେତୁ ମ୍ୟାଚ୍ 16 ଓଭରକୁ କମାଯାଇଥିଲା ଆଉ ବାଂଲାଦେଶକୁ 151 ରନର ଟାର୍ଗେଟ ମିଳିଥିଲା ​। କିନ୍ତୁ ଏହି ସବୁ ମଧ୍ୟରେ ଖରାପ ଫର୍ମ ଦେଇ ଗତି କରୁଥିବା ଲୋକେଶ ରାହୁଲ୍ ଆଜି ଜବରଦସ୍ତ କମବ୍ୟାକ୍ କରିଛନ୍ତି।ସେ ପ୍ରଥମେ ବ୍ୟାଟିଂ କରି 32 ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ଆଉ ବର୍ଷା ପରେ ମ୍ୟାଚ୍ ଆରମ୍ଭରେ କେ.ଏଲ୍ ରାହୁଲ ଅଷ୍ଟମ ଓଭରର ଦ୍ୱିତୀୟ ବଲରେ ରକେଟ୍ ବେଗରେ ଥ୍ରୋ କରି ବାଂଲାଦେଶୀ ଓପନର୍ ଲିଟନ୍ ଦାସଙ୍କୁ ରନ ଆଉଟ୍ କରିଥିଲେ। ଯେତେବେଳେ ଲିଟନ୍ ଫର୍ମରେ ଥିଲେ ସେହି ସମୟରେ ରାହୁଲ୍ ତାଙ୍କୁ ରନ ଆଉଟ୍ କରି ଭାରତକୁ ମ୍ୟାଚ ଜିତାଇବାର କାରଣ ସାଜିଥିଲେ। 

କଣ ଥିଲା ମ୍ୟାଚ ର ଟର୍ଣ୍ଣିଙ୍ଗ ପଏଣ୍ଟ ?

ବାଂଲାଦେଶ ଓପନର୍ ଲିଟନ୍ ଦାସ ଭାରତୀୟ ବୋଲରମାନଙ୍କୁ ନିର୍ଧୂମ ପ୍ରହାର କରୁଥିଲେ। ସେ ମାତ୍ରା 21 ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ପରେ ରୋହିତ ଶର୍ମା, ମିଷ୍ଟର ଦାସଙ୍କୁ ଆଉଟ୍ କରିବା ପାଇଁ ସମସ୍ତ କୌଶଳ ଚେଷ୍ଟା କରୁଥିଲେ, କିନ୍ତୁ ଲିଟନ୍ ଭାରତୀୟ ବୋଲରମାନଙ୍କୁ ତାଙ୍କ ୱିକେଟ୍ ଦେଉନଥିଲେ।

କିନ୍ତୁ ବର୍ଷା ବନ୍ଦ ହେବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହେଲା ଏବଂ କେ.ଏଲ୍ ରାହୁଲ ସାଂଘାତିକ ଥ୍ରୋ କାରଣରୁ ପିଚ୍‌ରେ ଫର୍ମରେ ଥିବା ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କୁ ପାଭିଲିୟନକୁ ପଠାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ତେବେ ଏହି ରନ୍ ଆଉଟ ହିଁ ମ୍ୟାଚ ର ଟର୍ଣ୍ଣିଙ୍ଗ ପଏଣ୍ଟ ଅଟେ।