ଆଫ୍ରିକା ସହ ହାରି ବଡ଼ ସମସ୍ୟା ରେ ଫସିପାରେ ଭାରତ, ବଦଳିଲା ସମୀକରଣ, ସହଜ ନୁହେଁ ସେମିଫାଇନାଲ ରାସ୍ତା, ଜାଣନ୍ତୁ କିପରି

 

କ୍ରିକେଟ ଖବର : ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହେବା ପରେ ଭାରତ ଏବେ ଅଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଆଉ ଏହାସହ ଏହି ଗ୍ରୁପରୁ କିଏ ସେମିଫାଇନାଲ ଟିକେଟ ହାତେଇବ ତାହାକୁ ନେଇ ସସପେନ୍ସ ଦେଖାଦେଇଛି। ଦକ୍ଷିଣ ଆଫ୍ରିକା ଠାରୁ ହାରିବା ପରେ, ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇବା ଏବେ ଟିମ୍ ଇଣ୍ଡିଆ ପାଇଁ ସହଜ ହୋଇ ନାହିଁ । କାରଣ ଗ୍ରୁପରେ ଥିବା ୬ଟି ଟିମ୍ ମଧ୍ୟରୁ ୫ଟି ଟିମ ସେମିଫାଇନାଲ ରେସରେ ସାମିଲ ହୋଇଛି। 

ଭାରତ ବିପକ୍ଷରେ ଦମଦାର ବିଜୟ ସହ ଟି-୨୦ ବିଶ୍ୱକପ ସେମିଫାଇନାଲ ରେସରେ ଯଥେଷ୍ଟ ଆଗରେ ରହିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ୫ ପଏଣ୍ଟ ସହ ଗ୍ରୁପର ପ୍ରଥମ ସ୍ଥାନରେ ରହିଛି । ପାକିସ୍ତାନ ଓ ନେଦରଲାଣ୍ଡସ ବିପକ୍ଷରେ ପରବର୍ତ୍ତୀ ୨ଟି ମ୍ୟାଚ୍ ଖେଳିବ ଦକ୍ଷିଣ ଆଫ୍ରିକା । ତେଣୁ ଏହି ୨ଟି ମ୍ୟାଚରୁ ଗୋଟିଏ ମ୍ୟାଚରେ ବିଜୟୀ ହେଲେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସବୁଠୁ ବଡ ଦାବିଦାର ଭାବେ ଉଭା ହେବ । 

ଅନ୍ୟପଟେ ବାଂଲାଦେଶ ଓ ଜିମ୍ବାୱେ ଯଦି ନିଜର ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜିତନ୍ତି ତେବେ ବାଂଲାଦେଶ ସିଧାସଳଖ ସେମିଫାଇନାଲ ଟିକେଟ ହାତେଇବ ଏବଂ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟରେ ରନରେଟ ଆଧାରରେ ଗୋଟିଏ ଟିମ୍ ସେମିଫାଇନାଲରେ ପହଞ୍ଚିବ।ଏସବୁ ଭିତରେ ଭାରତ ପାଇଁ ସେମିଫାଇନାଲ ସମୀକରଣ କଣ ରହିବ ତାହା ଉପରେ ଥରେ ନଜର ପକାନ୍ତୁ । 

ସେମିଫାଇନାଲ ଟିକେଟ ହାତେଇବାକୁ ହେଲେ ଭାରତକୁ ପରବର୍ତ୍ତୀ ୨ଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । ବାଂଲାଦେଶ ଓ ଜିମ୍ବାୱେ ବିପକ୍ଷ ମ୍ୟାଚରୁ ଗୋଟିଏରେ ବିଜୟୀ ହେଲେ ମଧ୍ୟ ଭାରତ ପାଇଁ ସେମିଫାଇନାଲ ଟିକେଟ ହାତେଇବା କଷ୍ଟକର ହୋଇପଡିବ ।  ଏହାଛଡା ବାଂଲାଦେଶ ବିପକ୍ଷ ମ୍ୟାଚରେ ବର୍ଷା ସମ୍ଭାବନା ରହିଥିବାରୁ ଏହା ଭାରତ ପାଇଁ ସଙ୍କଟ ସୃଷ୍ଟି କରିପାରେ । ତେବେ ବୁଧବାର ଗ୍ରୁପ୍-୨ର ହେବାକୁ ଥିବା ୨ଟି ମ୍ୟାଚର ଫଳାଫଳ ହିଁ ସେମିଫାଇନାଲ ଚିତ୍ରକୁ କିଛି ମାତ୍ରାରେ ସ୍ପଷ୍ଟ କରିବ ।

ଅନ୍ୟପଟେ ଜିମ୍ବାୱେ ମଧ୍ୟ ସେମିଫାଇନାଲ ରେସରେ ରହିଛି । ଏବେ ସୁଦ୍ଧା ୩ଟି ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଜିମ୍ବାୱେ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ସେମିଫାଇନାଲ ରେସରେ ରହିବାକୁ ହେଲେ ଜିମ୍ବାୱେକୁ ପରବର୍ତ୍ତୀ ୨ଟି ମ୍ୟାଚରେ ନିଶ୍ଚିତ ବିଜୟ ହାସଲ କରିବାକୁ ପଡିବ । କାରଣ ଗୋଟିଏ ମ୍ୟାଚ୍ ଜିତିଲେ ବି ଜିମ୍ବାୱେ ସେମିଫାଇନାଲ ରେସରୁ ବାଦ୍ ପଡିବ ।

ସେହିଭଳି ପାକିସ୍ତାନ ମଧ୍ୟ ସେମିଫାଇନାଲ ରେସରୁ ସମ୍ପୂର୍ଣ୍ଣ ରୂପେ ବିଦା ହୋଇନାହିଁ । କିନ୍ତୁ ପାକିସ୍ତାନକୁ ସେମିଫାଇନାଲ ଟିକେଟ ହାତେଇବାକୁ ହେଲେ ପରବର୍ତ୍ତୀ ୨ଟି ମ୍ୟାଚରେ ବଡ ବ୍ୟବଧାନରେ ବିଜୟ ସହ ଅନ୍ୟ ଦଳର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ। କିନ୍ତୁ ଏଥିପାଇଁ ଭାରତ ଅତିକମରେ ଗୋଟିଏ ମ୍ୟାଚ୍ ବଡ ବ୍ୟବଧାନରେ ହାରୁ ବୋଲି ପାକିସ୍ତାନ ପ୍ରାର୍ଥନା କରିବ। ସେହିଭଳି ଜିମ୍ବାୱେ ମଧ୍ୟ ଗୋଟିଏ ମ୍ୟାଚରେ ପରାଜିତ ହେଉ ବୋଲି ପାକିସ୍ତାନ ଚାହିଁବ । ଆଉ ଯଦି ଏଭଳି ସମୀକରଣ ହୁଏ ତେବେ ଉନ୍ନତ ରନରେଟର ଆବଶ୍ୟକତା ପଡିବ।